ବାତ୍ୟା ଅମ୍ଫାନ୍ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ନ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ୍’ ଯୋଗୁଁ ଦେଶର କେତେକ ଅଞ୍ଚଳରେ ଉପୁଜିବାକୁ ଥିବା ପରିସ୍ଥିତି ସମୀକ୍ଷା ସଂକ୍ରାନ୍ତରେ ଆଜି ଅପରାହ୍ଣ ୪ଟା ବେଳେ ଗୃହ ବ୍ୟାପାର ମନ୍ତ୍ରାଳୟ ଏବଂ ଜାତୀୟ ବିପର୍ପ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଡାକିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷତା କରିବେ।

ଏ ସଂକ୍ରାନ୍ତରେ ଟୁଇଟ୍ କରି ଜଣାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା।ମହାବାତ୍ୟା ପାଲଟିଥିବା ବଙ୍ଗୋପସାଗରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍’ ବୁଧବାର ଦିନ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ବୀପପୁଞ୍ଜ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗକୁ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ବାତ୍ୟା ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ, ହିମାଳୟ ପାଦଦେଶକୁ ଥିବା ପଶ୍ଚିମବଙ୍ଗ, ସିକିମ, ଆସାମ ଓ ମେଘାଳୟରେ ମେ ୨୧ ତାରିଖ ଯାଏଁ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହି ବାତ୍ୟାଯୋଗୁଁ ଉତ୍ତର ଓଡ଼ିଶା ଅଧିକ ପ୍ରଭାବିତ ହୋଇପାରେ। କିନ୍ତୁ, ସ୍ଥଳଭାଗରେ ପ୍ରବେଶ କରିବା ପୂର୍ବରୁ ବାତ୍ୟା ଅମ୍ଫାନ୍‌ର ଶକ୍ତି କିଛି ମାତ୍ରରେ କ୍ଷୟ ହୋଇଥିବ। ସାମୁଦ୍ରିକ ତଲାସ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ସଜାଗ ହୋଇ ରହିଛି।

Leave a Reply

Your email address will not be published. Required fields are marked *