ପ୍ରଧାନମନ୍ତ୍ରୀଙ୍କ ଅପିଲ୍- ‘ଲୋକାଲ ପାଇଁ ଭୋକାଲ ହୁଅନ୍ତୁ’ ସ୍ଥାନୀୟ ସାମଗ୍ରୀ କିଣି ଗର୍ବର ସହ ପ୍ରଚାର କରନ୍ତୁ
ନୂଆଦିଲ୍ଲୀ :-କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ଚତୁର୍ଥ ଥର ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସଙ୍କଟର ଏହି ସମୟରେ ଆମକୁ ଲୋକାଲ ହିଁ ବଞ୍ଚାଇଛି। ଆମର ଆବଶ୍ୟକତା ପୂରଣ କରିଛି। ସଙ୍କଟ ଆମକୁ ଶିକ୍ଷା ଦେଇଛି ଯେ, ଲୋକାଲକୁ ଆଗକୁ ବଢାଇବାକୁ ପଡିବ, ପ୍ରୋତ୍ସାହନ ଦେବାକୁ ପଡିବ। କେବଳ ଲୋକାଲ କିଣନ୍ତୁ ନାହିଁ ବରଂ ଲୋକାଲର ପ୍ରଚାର କରନ୍ତୁ। ଲୋକାଲ ପାଇଁ ଭୋକାଲ ହୁଅନ୍ତୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯେଉଁ ବଡ ବ୍ରାଣ୍ଡକୁ ଆଜି ଆପଣ ଜାଣିଛନ୍ତି, ତାହା କେବେ ଲୋକାଲ ଥିଲା। ମାତ୍ର ଯେବେ ସେଠାକାର ଲୋକ ଏହା ଉପରେ ଗର୍ବିତା ହେବା ଆରମ୍ଭ କଲେ ତାହା ଲୋକାଲର ଗ୍ଲୋବାଲ ହୋଇଗଲା। ଏଥିପାଇଁ ଆଜିଠୁ ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଲୋକାଲ ପାଇଁ ଭୋକାଲ ହେବାକୁ ପଡିବ। କେବଳ ସ୍ଥାନୀୟ ସାମଗ୍ରୀ କିଣନ୍ତୁ ନାହିଁ ବରଂ ଏହାକୁ ଗର୍ବର ସହିତ ପ୍ରଚାର କରନ୍ତୁ। ମୋତେ ବିଶ୍ଵାସ ଯେ, ଆମ ଦେଶ ଏମିତି କରି ପାରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସମ୍ବୋଧନରେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ଆର୍ଥିକ ପ୍ୟାକେଜ୍ ଆତ୍ମ ନିର୍ଭର ଭାରତ ଅଭିଯାନ ପାଇଁ ମହତ୍ଵପୂର୍ଣ୍ଣ କାମ କରିବ। ଏହା ଭାରତ ଜିଡିପିର ପାଖାପାଖି ୧୦ ପ୍ରତିଶତ ହେବ। ଏହା ଜରିଆରେ ଦେଶର ବିଭିନ୍ନ ବର୍ଗକୁ ଶକ୍ତ କରିବାରେ ସହାୟକ ହେବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ୟାକେଜ୍ରେ ଲ୍ୟାଣ୍ଡ, ଲେବର, ଲିକ୍ୟୁଡିଟି ଓ ଲ ସବୁ ଉପରେ ଗୁରୁତ୍ଵାରୋପ କରାଯାଇଛି। ଏହି ପ୍ୟାକେଜ୍ ଲଘୁ, କୁଟୀର, ଏମଏସଏମଇ ପାଇଁ ମଧ୍ୟ ଉଦ୍ଦିଷ୍ଟ ରହିଛି। ଏହା କୋଟି କୋଟି ଲୋକଙ୍କ ଆଜୀବିକାର ସାଧନ ପାଲଟିଛି। ଏହି ପ୍ୟାକେଜ୍ ସେହି ଶ୍ରମିକଙ୍କ ଲାଗି ଯିଏ ପ୍ରତ୍ୟେକ ସ୍ଥିତି, ପ୍ରତି ପାଣିପାଗରେ ଦେଶବାସୀଙ୍କ ଲାଗି ଝାଳବୁହା ପରିଶ୍ରମ କରିଥାନ୍ତି। ଏହି ପ୍ୟାକେଜ୍ ଆମ ଦେଶର ମଧ୍ୟମ ବର୍ଗ ପାଇଁ ଯିଏ ସଚ୍ଚୋଟତାର ସହ ଟିକସ୍ ଦେଇଥାନ୍ତି। ଏହି ପ୍ୟାକେଜ୍ ଦେଶର ଉଦ୍ୟୋଗ ଜଗତ ପାଇଁ ମଧ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।