ସୀମା ବିବାଦ ଯୋଗୁ ବେଙ୍ଗଲରୁ ନେପାଳକୁ ସପୁରି ରପ୍ତାନୀ ବନ୍ଦ!
କୋଲକାତା:-ନେପାଳର ତ୍ରୁଟିପୂର୍ଣ୍ଣ ନକ୍ସା କ୍ରମଶଃ ବିବାଦର ରୂପ ନେବାକୁ ଲାଗିଲାଣି। ସରକାରୀ ସ୍ତରରେ ଏ ନେଇ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରାଯାଇନି। ହେଲେ ନେପାଳର ନିଷ୍ପତ୍ତି ପଶ୍ଚିମବଙ୍ଗ ଚାଷୀଓ ବେପାରୀଙ୍କୁ କ୍ଷୁବ୍ଧ କରିଛି। ପଶ୍ଚିମବଙ୍ଗ ମିଠା ସପୁରି ଉତ୍ପାଦନ ଲାଗି ପ୍ରସିଦ୍ଧ ଓ ଏହି ଫଳ ପ୍ରାୟତଃ ନେପାଳ ଚାଲାଣ ହୋଇଯାଇଥାଏ। ହେଲେ ଚଳିତବର୍ଷ ଚାଷୀ ନେପାଳକୁ ସପୁରି ଯୋଗାଇବା ବନ୍ଦ କରିଦେଇଛନ୍ତି ଅଥବା ନେପାଳୀ ବେପାରୀଙ୍କ ଲାଗି ମୂଲ୍ୟ ବଢାଇ ଦେଇଛନ୍ତି। ଫଳରେ ନେପାଳୀଙ୍କ ଭାଗ୍ୟରେ ଚଳିତବର୍ଷ ବେଙ୍ଗଲ ସପୁରି ଜୁଟିବ କି ନା ସେ ନେଇ ଏବେ ସନ୍ଦେହ ଉପୁଜିଛି।ପଶ୍ଚିମବଙ୍ଗ ସପୁରି ଉତ୍ପାଦନର ୮୦ ପ୍ରତିଶତ ନେପାଳକୁ ରପ୍ତାନୀ କରିଥାଏ। ତେବେ ଚଳିତବର୍ଷ କରୋନା ଲକଡାଉନ୍ ଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାର ହାଟ ବନ୍ଦ ରହିବା ସପୁରି ଚାଷୀଙ୍କୁ ଗୁରୁତର ପ୍ରଭାବିତ କରିଥିଲା। ଏହା ସତ୍ତ୍ୱେ ବେଙ୍ଗଲ ଚାଷୀ ନେପାଳକୁ ସପୁରି ରପ୍ତାନୀ ଲାଗି ରାଜି ହେଉ ନାହାନ୍ତି। ନେପାଳ ସଂସଦ ଗତ ଦିନରେ ଭାରତୀୟ ଭୂ-ଭାଗକୁ ମିସାଇ ନିଜର ନୂଆ ନକ୍ସାକୁ ଏକ ତରଫା ଗୃହୀତ କରାଇ ନେଇଛି। ଏ ନେଇ ପ୍ରସଙ୍ଗରେ ଭାରତ ସରକାର ଏପର୍ଯ୍ୟନ୍ତ ନେପାଳକୁ ପ୍ରଶ୍ନ ମଧ୍ୟ କରିନାହାନ୍ତି। ତେବେ ନେପାଳ ପଦକ୍ଷେପ ଭାରତୀୟଙ୍କୁ କ୍ଷୁବ୍ଧ କରିଛି। ଏଥିରେ କେବଳ ସପୁରି ନୁହେଁ ଅନ୍ୟ ଜରୁରି ସାମଗ୍ରୀ ରପ୍ତାନୀ ମଧ୍ୟ ଧିରେ ଧିରେ ବନ୍ଦ କରିବାରେ ଲାଗିଲେଣି।ଚଳିତବର୍ଷ ବେଙ୍ଗଲରେ ସପୁରିର ବମ୍ପର ଉତ୍ପାଦନ ହୋଇଛି। ତେବେ ଚାଷୀ ଓ ବେପାରୀ ସେମାନଙ୍କ ସାମଗ୍ରୀ ଅଧା ଦରରେ ବିକ୍ରି ହେଉ ପଛେ ନ ହେଲେ ଖେତରେ ସଢୁ ହେଲେ ନେପାଳ ପଠାଯିବନି ଯିଦରେ ଅଡିଯାଇଛନ୍ତି। ସେପଟେ ସୀମା ବିବାଦ ପରିସ୍ଥିତିରେ ପଶ୍ଚିମବଙ୍ଗକୁ ଲାଗି ରହିଥିବା ନେପାଳ ସୀମାବର୍ତ୍ତି ଗ୍ରାମର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ବିବାଦ ଅଧିକ ଉଗ୍ର ହୁଏ ସ୍ଥାନୀୟ ଲୋକେ ସେମାନଙ୍କୁ ବାସନ୍ଦ କରିବାର ଆଶଙ୍କା ମଧ୍ୟ କରାଯାଉଛି। ଦାର୍ଜିଲିଂ ଜିଲ୍ଲାର ସିଲିଗୁଡି ସହରରେ ନେପାଳୀଙ୍କର ଏକ ବଡ ଜନସଂଖ୍ୟା ବସବାସ କରୁଛନ୍ତି। ଏଠାରେ ସେମାନେ ଚାକିରୀ ବ୍ୟତୀତ ଅନ୍ୟ ଛୋଟମୋଟ ରୋଜଗାର ବି କରୁଛନ୍ତି।










