କିଏ ହେବ ଭୁବନେଶ୍ୱର ଡ଼ିସିପି, ଦୌଡ଼ରେ ଆଗରେ ଅଛନ୍ତି ପୁରୀ ଏସପି ଉମାଶଙ୍କର ଦାସ !

ଭୁବନେଶ୍ୱର:ଭୁବନେଶ୍ୱର ଡିସିପି କିଏ ହେବ ତାହାକୁ ନେଇ ସବୁଠି ଚର୍ଚ୍ଚା, କେହି କ୍ୱହି ଗୁଳି ଗପ କରି ବଢ଼ାଇ ଚଢ଼ାଉ କହୁଛନ୍ତି। କିନ୍ତୁ ଆମ ୱେବ ପୋର୍ଟାଲ ଅନୁସନ୍ଧାନ କରିବା ପରେ ସ୍ପଷ୍ଟ ହେଲେ କିଏ ହେବ ଭୁବନେଶ୍ୱର ଡିସିପି। ଆମେ ଆପଣଙ୍କୁ ଗୁଲି ଗପ କରିବୁ ନାହିଁ। ଆସନ୍ତୁ ଜାଣିବା ଭୁବନେଶ୍ୱର ଡିସିପି ଦୌଡ଼ରେ କେଉଁମାନେ ଆଗରେ ଅଛନ୍ତି।

ଚଳିତ ବର୍ଷ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଡିସିପି ଅନୁପ ସାହୁ ପଦୋନ୍ନତି ପାଇ ଡିଆଇଜି ପାହ୍ୟାକୁ ଗଲେ । ଏବେ ସେ କମିସନରେଟ ପୁଲିସରେ ଅତିରିକ୍ତ ପୁଲିସ କମିସନର । ତାଙ୍କୁ ଅତିରିକ୍ତ ପୁଲିସ କମିସନର ଭାବେ ନିଯୁକ୍ତି ମିଳିବା ପରେ ଭୁବନେଶ୍ୱର ଡିସିପି ପଦବି ଏଯାଏ ଖାଲି ପଡ଼ିଛି । କିନ୍ତୁ ତାଙ୍କୁ ରାଜ୍ୟ ସରକାର ଏବେ ଇନ-ଚାର୍ଜ ଡିସିପି ଭାବେ ଅବସ୍ଥାପିତ କରିଛନ୍ତି । ଦୀର୍ଘ ୬ ମାସ ହେବ ଭୁବନେଶ୍ୱର ଭଳି ଡିସିପି ପଦବି ଖାଲି ପଡ଼ିବା ଘଟଣା ଏବେ ଚର୍ଚାର ବିଷୟ ମଧ୍ୟ ହୋଇଛି । ଅବଶ୍ୟ କରୋନା ମୁକାବିଲା କରିବା ପାଇଁ ପୁଲିସ ବିଭାଗ ତାଙ୍କୁ ବଦଳାଇବାକୁ ଚାହିଁ ନ ଥିଲା । ଏବେ କରୋନା କଟକଣା କୋହଳ ହେଲା ପରେ ପୁଣି ଥରେ କିଏ ହେବ ଭୁବନେଶ୍ୱରର ଡିସିପି , ତାକୁ ନେଇ ଏବେ ପୁଲିସ ମହଲରେ ଚର୍ଚା ଆରମ୍ଭ ହୋଇ ଗଲାଣି ।

ଯାହା ସୂଚନା ମିଳିଛି, ୯ ଜଣ ଯୁବ ଆଇପିଏସ ଅଫିସରଙ୍କ ନାଁକୁ ନେଇ ଏବେ କ୍ଷମତାକେନ୍ଦ୍ର ମାନସମନ୍ଥନ କରିବା ଆରମ୍ଭ କରିଛି । ଏହି ଯୁବ ଆଇପିଏସମାନଙ୍କ କାର୍ଯ୍ୟ କରିବାର ଶୈଳୀ, ଦକ୍ଷତା, ଅଭିଜ୍ଞତା ମପା ଯାଉଛି । ରାଜଧାନୀ ଭଳି ସହରରେ ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ଭିଭିଆଇପିଙ୍କ ସୁରକ୍ଷା, ଅପରାଧ ନିୟନ୍ତ୍ରଣ ମୁଖ୍ୟତଃ ଫୋକସ୍ରେ ରହିଥାଏ । ଏସବୁକୁ ଯିଏ ଉତମ ଢ଼ଙ୍ଗରେ ପରିଚାଳନା କରି ପାରିବ ସେ ହିଁ ଭୁବନେଶ୍ୱର ଡିସିପି ଭଳି ଗରୁତ୍ୱପୂର୍ଣ୍ଣ ପଦବି ସମ୍ଭାଳି ବାର ସୁଯୋଗ ପାଇବେ । ଏହା ଭିତରେ ରାଜ୍ୟ ସରକାର ଡିସିପି ପଦବିରେ ଜଣେ ଓଡ଼ିଆ ଯୁବ ଆଇପିଏସ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଥିବା ଚର୍ଚା ଆରମ୍ଭ ହୋଇଛି । କାରଣ ରାଜ୍ୟ ସରକାର ପୂର୍ବରୁ ଭୁବନେଶ୍ୱର ଡିସିପି ଭାବେ ସତ୍ୟବ୍ରତ ଭୋଇ ଓ ପରେ ଅନୁପ ସାହୁଙ୍କୁ ନିଯକ୍ତିି ଦେଇଥିଲେ ।

ଚର୍ଚାର ସବୁଠାରୁ ଆଗରେ ଅଛନ୍ତି, ୨୦୦୮ ବ୍ୟାଚର ଆଇପିଏସ ଅଫିସର ତଥା ପୁରୀ ଏସପି ଉମାଶଙ୍କର ଦାସ । ଉମାଶଙ୍କର ତୃତୀୟ ମହଲାର ଜଣେ ଆଇପିଏସ ଅଫିସରଙ୍କ ସହିତ ଉତମ ସମ୍ପର୍କ । ସେହି ଅଫିସର ଜଣକ ଚାହୁଁଛନ୍ତି ଉମା ଭୁବନେଶ୍ୱର ଡିସିପି ହୁଅନ୍ତୁ । ସେହିପରି ଉମା ମଧ୍ୟ ନିଜ ଆଡୁ ଡିସିପି ହେବାକୁ ମନ ବଳାଇଥିବା ଶୁଣିବାକୁ ମିଳୁଛି । ସେ ଜଣେ ଓଡ଼ିଆ ଯୁବ ଆଇପିଏସ ଅଫିସର । ତାଙ୍କର କାର୍ଯ୍ୟ କରିବା ଶୈଳୀକୁ ପୁଲିସ ବିଭାଗ ପ୍ରଶଂସା କରୁଛି । ସେ ପୂର୍ବରୁ ଯେଉଁ ସବୁ ଜିଲ୍ଲାରେ କାମ କରିଛନ୍ତି ବେଶ ସଫଳତା ଅର୍ଜନ କରିଛି । ଗତ କିଛି ଦିନ ତଳେ ପୁରୀର ପୁଲିସ ବାରାକରେ ଘଟିଥିବା ଚର୍ଚିତ ଗଣ ଦୁଷ୍କର୍ମ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ ଯେଉଁ ଭଳି ଢ଼ଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାକୁ ନେଇ ସେ ପୁଲିସ ବିଭାଗରେ ବେଶ ପ୍ରଶଂସା ଗୋଟାଇଛନ୍ତି । ସେ ଭୁବନେଶ୍ୱର ଡିସିପି ହେବା ନେଇ ଚର୍ଚା ହେଉଛି ।

ଏହା ପଛକୁ ୨୦୦୭ ବ୍ୟାଚର ଆଇପିଏସ ଅଫିସର ତଥା ଭୁବନେଶ୍ୱର ଭିଜିଲାନ୍ସ ସେଲର ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଚର୍ଚା ହେଉଛି । ସେ ପୂର୍ବରୁ ପୁରୀ ଏସପି ଭାବେ କାମ କରୁଥିଲେ । ପୁରୀରେ ଥିବାବେଳେ ରଥଯାତ୍ରା, ସୁନାବେଶ ଭଳି ବଡ଼ ବଡ଼ କାର୍ଯ୍ୟ ସୁଚାରୁ ଢ଼ଙ୍ଗରେ ପରିଚାଳନା କରିଥିଲେ । ଏହି କାରଣରୁ ତାଙ୍କର ଆଇନଶୃଙ୍ଖଳା, ଭିଭିଆଇପି ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣରେ ବେଶ ଅଭିଜ୍ଞତା ରହିଛି ।

୩ ଜଣ ଅଣ ଓଡ଼ିଆ ଯୁବ ଆଇପିଏସ ଅଫିସର ଯେଉଁମାନଙ୍କର ନକ୍ସଲଙ୍କଠାରୁ ଆରମ୍ଭ କରି ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ଆଦି କ୍ଷେତ୍ରରେ ଢେ଼ର ଅଭିଜ୍ଞତା ରହିଛି ସେମାନଙ୍କର । ଭୁବନେଶ୍ୱର ଭଳି ସହରରେ ସେମାନେ କାମ କଲେ ଅପରାଧ ହ୍ରାସ କରିବାରେ ସେମାନେ ସିଦ୍ଧହସ୍ତ ହୋଇ ପାରିବେ ବୋଲି ଚର୍ଚା ହେଉଛି । ପାୱାର କରିଡର ସେମାନଙ୍କୁ ମଧ୍ୟ ନଜରରେ ରଖିଛି । ସେମାନେ ହେଲେ ୨୦୧୩ ବ୍ୟାଚର ଆଇପିଏସ ତଥା ଅନୁଗୁଳ ଏସପି ଜଗମୋହନ ମୀନା, ସେହି ବ୍ୟାଚର ଆଇପିଏସ ଅଫିସର ତଥା ଝାରସୁଗଡ଼ା ଏସପି ପିଆର୍ ରାହୁଲ, ୨୦୧୦ ବ୍ୟାଚର ଆଇପିଏସ ତଥା ରାଉରକେଲା ଏସପି କେ ଶିବା ସୁବ୍ରମଣୀ ।

ସେହିପରି ୨୦୧୦ ବ୍ୟାଚର ଆଇପିଏସ ତଥା କେଉଁଝର ଏସପି ମିତ୍ରଭାନୁ ମହାପାତ୍ର, ୨୦୧୧ ବ୍ୟାଚର ଆଇପିଏସ ଅଫିସର ତଥା କଳାହାଣ୍ଡି ଏସପି ପିନାକ ମିଶ୍ର, କଟକ କ୍ରାଇମ ବ୍ରାଂଚରେ ଥିବା ୨୦୧୨ ବ୍ୟାଚର ଆଇପିଏସ ଅଫିସର ସୁଧାଂଶୁ ଶେଖର ମିଶ୍ର ପ୍ରମୁଖଙ୍କ ନାଁ ମଧ୍ୟ ଡିସିପି ପଦବି ପାଇଁ ଚର୍ଚା ହେଉଛି । ତେବେ ରାଜ୍ୟ ସରକାର କାହାକୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ବସାଇବେ ତାହା ଆସନ୍ତା ମାସରେ ସ୍ପଷ୍ଟ ହେବ । କିନ୍ତୁ ଏବେଠାରୁ ପୁଲିସ ବିଭାଗରେ ହେଉଥିବା ଆଲୋଚନା ଏବେ ତଳିଆ ଅଫିସରଙ୍କୁ ଚର୍ଚା କରିବା ପାଇଁ ଖୋରାକ ଯୋଗାଇଛି ।

Leave a Reply

Your email address will not be published. Required fields are marked *