ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପୁନର୍ବିଚାର ମାମଲା ଲଢ଼ିବେ ସାବରିମାଳା ଓକିଲ

ଭୁବନେଶ୍ଵର:-ଚଳିତବର୍ଷ ରଥଯାତ୍ରା ବନ୍ଦ ରଖିବାକୁ ସୁପ୍ରିମକୋର୍ଟ ରାୟ ଦେବା ପରେ ରାୟର ପୁନର୍ବିଚାର ପାଇଁ ପୁରୀ ଛତିଶାନିଯୋଗ ପକ୍ଷରୁ ପିଟିସନ୍ ଦାଖଲ ହୋଇଛି । ବଡ କଥା ହେଉଛି, ଛତିଶା ନିଯୋଗ ପକ୍ଷରୁ ଲଢିବେ କେରଳ ସାବରିମାଳା ମାମଲା ଲଢିଥିବା ବରିଷ୍ଠ ଆଇନଜୀବୀ ଶୁଭଦତ୍ତ ସୁନ୍ଦରମ । ରଥଯାତ୍ରା ରାୟର ପୁନର୍ବିଚାର ପାଇଁ ସେ ଲଢେଇ କରିବେ । କେରଳ ରାଜପରିବାରର ଓକିଲ ଥିବା ଶୁଭଦତ୍ତ କହିଛନ୍ତି, ବର୍ଷ ବର୍ଷର ପରମ୍ପରା କିଭଳି ବଜାୟ ରହିବ, ସେନେଇ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିବେ ।

ରଥଯାତ୍ରାକୁ କିଭଳି ସମ୍ପୂର୍ଣ୍ଣ ବନ୍ଦ ନକରାଯାଇ ଓ ମହାପ୍ରଭୁଙ୍କ ନୀତିକୁ ନଭାଙ୍ଗି ରଥଯାତ୍ରା କରାଯିବ, ସେନେଇ ଯୁକ୍ତି ରଖିବେ । ଏହାରି ଭିତରେ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଲୋଡି ସୁପ୍ରିମକୋର୍ଟରେ ୧୩ଟି ପିଟିସନ ଦାଖଲ ହେଲାଣି । ରିଭ୍ୟୁ ପିଟିସନ୍ ଜରିଆରେ କୋଭିଡ୍ କଟକଣା ଭିତରେ ରଥଯାତ୍ରା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରାର୍ଥନା କରାଯାଇଛି । ରଥଯାତ୍ରାକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ମାମଲା ଚାଲିଥିବା ବେଳେ ପୁରୀ ରଥଖଳାରେ ଆଗେଇ ଚାଲିଛି ରଥ କାମ ।

ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା ଭିତରେ ଆଗେଇ ଚାଲିଛି ରଥ କାମ । ରଥଯାତ୍ରାକୁ ନେଇ ଟଣାଓଟରା ଚାଲିଛି ହେଲେ ରଥ କାମ କିନ୍ତୁ ଅଟକିନିି । ଶନିବାର ତିନି ରଥରେ ଆରମ୍ଭ ହୋଇଛି ରଥ କନା ମୁଣ୍ଡଣି କାମ । କନା ଭିଡାରେ ଲାଗି ପଡିଛନ୍ତି କୋଠ ସୁଆଁଶିଆ ସେବାୟତ । କାରଣ, ହାତରେ ଆଉ ମାତ୍ର ଦୁଇ ଦିନ । ଏଥର ବିଳମ୍ବରେ ରଥ କାମ ଆରମ୍ଭ ହେଲା, ହେଲେ ସମୟ ପୂର୍ବରୁ କାମ ସାରିବାକୁ ସେବାୟତ ପ୍ରସ୍ତୁତ ।

ଗୋଟିଏ ପଟେ ବଡଦାଣ୍ଡରେ ଶ୍ରୀଜିଉଙ୍କ ରଥ କାମ ଚାଲିଛି । ଆଉ ସେପଟେ କାଠଗଡାରେ ରହିଛି ରଥଯାତ୍ରା ପ୍ରସଙ୍ଗ । ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ନେଇ ଦେଇଥିବା ରାୟର ପୁନର୍ବିଚାର କରିବାକୁ ଘନ ଘନ ଆବେଦନ ହେଉଛିି । ପରମ୍ପରା ଓ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଲୋଡାଯାଉଛି । ଏହି ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ନେଇ ସବୁ ରାସ୍ତା ବନ୍ଦ ହୋଇନାହିଁ ବୋଲି କହିଛନ୍ତି ଦଇତାପତି ସେବାୟତ ।

Leave a Reply

Your email address will not be published. Required fields are marked *