ଭୟରେ ଚୀନ୍‌ କମ୍ପାନି:୧୦ ଦିନ ପାଇଁ ଟେଲିଭିଜନ୍‌ରୁ ବିଜ୍ଞାପନ ହଟାଇଲେ

ନୂଆଦିଲ୍ଲୀ:-ଭାରତ-ଚୀନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏଠାରେ କାରବାର କରୁଥିବା ଚାଇନିଜ୍‌ ସ୍ମାର୍ଟଫୋନ୍‌ ଏବଂ ଇଲେକ୍‌ଟ୍ରୋନିକ୍ସ କମ୍ପାନିଗୁଡିକ ଏବେ ଭୟରେ ଅଛନ୍ତି । ସୀମା ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ଚୀନ୍‌ର ସ୍ମାର୍ଟଫୋନ୍‌ ଏବଂ ଇଲେକ୍ଟ୍ରୋନିକ୍ସ କମ୍ପାନି ଭାରତରେ ସେମାନଙ୍କ ମାର୍କେଟିଂ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ପ୍ରସାରଣକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ଭାରତରେ ଚୀନ୍‌ ସାମଗ୍ରୀ ବର୍ଜନ ଅଭିଯାନ ଜୋର ଧରିଥିବାବେଳେ କୌଣସି ପ୍ରକାର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପରିସ୍ଥିତିକୁ ବିଗାଡିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି ।

ଶିଳ୍ପ କ୍ଷେତ୍ରରେ ଜଡ଼ିତ ୪ ଜଣ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସାଓମି, ଭିଭୋ, ଓପୋ, ୱାନ୍‌ ପ୍ଲସ, ଟିସିଏଲ୍‌ ଏବଂ ଆଉ କେତେକ କମ୍ପାନି ଅନ୍ୟୁନ ୧୦ ଦିନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପରିସ୍ଥିତି ସ୍ୱାଭାବିକ ହେବା ପରେ ସେମାନେ ପରବର୍ତ୍ତୀ କାର୍ଯ୍ୟବିଧି କରିବେ । ଚୀନ୍‌ର ଏହି କମ୍ପାନିଗୁଡିକ ଟେଲିଭିଜନ୍‌ରୁ ବିଜ୍ଞାପନ ପ୍ରସାରଣକୁ ପ୍ରତ୍ୟାହାର କରିଛନ୍ତି । ଡରରେ ବିଲ୍‌ବୋର୍ଡ, ଟ୍ରାଫିକ୍‌ ସିଗ୍‌ନାଲ ଏବଂ ଲ୍ୟାମ୍ପ ପୋଷ୍ଟ ଆଦିରୁ ବିଜ୍ଞାପନ ହଟାଇ ଦେଇଛନ୍ତି । ଭାରତୀୟ ସେଲିବ୍ରିଟିମାନଙ୍କୁ ନେଇ ଡିଜିଟାଲ ତଥା ସୋସିଆଲ ମିଡିଆ ଏବଂ ଇ-କମର୍ସ ସାଇଟ୍‌ରେ ପ୍ରସାରିତ ହେଉଥିବା କ୍ୟାମ୍ପେନ୍‌ଗୁଡିକୁ ବନ୍ଦ କରିଛନ୍ତି ଚୀନ୍‌ କମ୍ପାନି । ଟୁଇଟର ଏବଂ ଇନ୍‌ଷ୍ଟାଗ୍ରାମରେ ଚୀନ୍‌ କମ୍ପାନି ଏବଂ ସେମାନଙ୍କ ପ୍ରମୁଖ ଅଧିକାରୀମାନେ ପ୍ରଚାର ବନ୍ଦ କରିଛନ୍ତି ।

ଓପୋ ଏବଂ ଭିଭୋ ବୁଧବାରରୁ ସେମାନଙ୍କ ବ୍ରାଣ୍ଡ୍‌ ଆକାଉଣ୍ଟରେ କୌଣସି ଟୁଇଟ୍‌ କରୁନାହାନ୍ତି । କେତେକ ନୂଆ ଲଞ୍ଚିଂ ହୋଇଥିଲେ ବି ଭୟରେ ପ୍ରଚାରରୁ ଦୂରରେ ରହୁଛନ୍ତି କମ୍ପାନି । ଭାରତରେ ସକ୍ରିୟ ଥିବା ପ୍ରମୁଖ ୩ ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନି ମଧ୍ୟରୁ ଏକ କମ୍ପାନିର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତୀୟ ସେଲିବ୍ରିଟିଙ୍କୁ ନେଇ ସୋସିଆଲ ମିଡିଆ କ୍ୟାମ୍ପେନ୍‌ଗୁଡିକୁ ସ୍ଥଗିତ ରଖାଯାଇଛି । ଭାରତୀୟମାନଙ୍କ ମଧ୍ୟରେ ଯେଉଁଭଳି ଭାବେ କ୍ରୋଧ ଦେଖାଦେଇଛି ଏବେ ଏସବୁ ରିସ୍କ୍‌ପୂର୍ଣ୍ଣ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *