ଚୀନ ସହ ଉତ୍ତେଜନା ମଧ୍ୟରେ ସୀମାରେ ସଡକ ନିର୍ମାଣ ଜୋରଦାର କରିବ ଭାରତ,

ନୂଆଦିଲ୍ଲୀ:=ପୂର୍ବ ଲଦାଖ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ତୀବ୍ର ଉତ୍ତେଜନା ମଧ୍ୟରେ ଭାରତ ସୀମାରେ ସଡକ ନିର୍ମାଣକୁ ଆହୁରି ଗତିଶୀଳ ଏବଂ ତ୍ଵରାନ୍ଵିତ କରିବାକୁ ନିର୍ଣ୍ଣୟ ନେଇଛି। ସୂତ୍ର ମୁତାବକ ଗୃହ ମନ୍ତ୍ରଣାଳୟରେ ବୁଧବାର ବଡ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବର୍ଡର ରୋଡ୍‌ ଅର୍ଗାନାଇଜେସନ(BRO), ITBP, ଆର୍ମି, CPWD ଓ ଗୃହ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ଥିଲେ।

ଇଣ୍ଡୋ-ଚାଇନା ବର୍ଡର ରୋଡ୍‌(ICBR)ର ଦ୍ଵିତୀୟ ୨ ଆଧାରରେ ଭାରତ-ଚୀନ ସୀମାରେ ୩୨ଟି ସଡକ ନିର୍ମାଣ ହେବାର ଅଛି। ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ ଏହି ସଡକ ନିର୍ମାଣକୁ ଆହୁରି ଗତି ଦିଆଯିବ। ଏଥିପାଇଁ ୧୫୦୦ ଶ୍ରମିକଙ୍କୁ ଲେହ-ଲଦାଖ ପଠାଯାଉଛି। କାଲି ମଧ୍ୟ ଗୃହ ମନ୍ତ୍ରଣାଳୟରେ ଭାରତ-ଚୀନ ସୀମା ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ  ବୈଠକ ହେବ।

ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ସଂପ୍ରତି ଚରମରେ ରହିଛି। ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଗଲଓ୍ଵାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଭାରତର ୨୦ ଜଣ ସୈନିକ ସହିଦ୍‌ ହୋଇଥିବା ବେଳେ ଚୀନର ୪୩ ସୈନିକ ମୃତାହତ ହୋଇଛନ୍ତି।

ଚୀନ ଭାରତ ଉପରେ ଫେଁ ଫେଁ ହେବାର କାରଣ ଭାରତ ଏଲଏସିରେ ଭିତ୍ତିଭୂମି ସୁଦୃଢ କରିବାରେ ଲାଗିଛି। ସୀମାରେ ନିର୍ମାଣ ହେଉଥିବା ସଡକକୁ ନେଇ ଚୀନ ଆପତ୍ତି ପ୍ରକାଶ କରିଛି। ବହୁବାର ଚୀନ ସୈନିକ ନିର୍ମାଣ କାର୍ଯ୍ୟ ରୋକିବାକୁ ଉଦ୍ୟମ କରିଛି।

Leave a Reply

Your email address will not be published. Required fields are marked *