ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ କରି ପାରୁନାହାଁନ୍ତି ଧୋନୀ
ମୁମ୍ବାଇ:=ଅଭିନେତା ସୁଶାନ୍ତ ସିଂହ ରାଜପୁତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଘରେ କାମ କରୁଥିବା ଜଣେ ସହାୟିକା ଏନେଇ ପୋଲିସକୁ ସୂଚନା ଦେଇଥିଲେ। ମୁମ୍ବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି। ସେ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହୁଥିବା ମଧ୍ୟ ଖବର ମିଳିଛି । ସୁଶାନ୍ତଙ୍କ ମୃତ୍ୟୁରେ ବଲିଉଡ୍ ଜଗତ ଶୋକରେ ବୁଡି ରହିଛି । ସେ ମାତ୍ର ୩୪ ବର୍, ବୟସରେ ପ୍ରାଣ ହରାଇଛନ୍ତି । ସିନେ ତାରକାଙ୍କଠୁ ଆରମ୍ଭ କରି କ୍ରିକେଟର, ରାଜନେତା ଓ ଅନେକ ପ୍ରଶଂସକ ଶୋକ ବ୍ୟକ୍ତ କରିଛନ୍ତି । ଏପରିକି ମହେନ୍ଦ୍ର ସିଂ ଧୋନୀଙ୍କ ମ୍ୟାନେଜର ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।
ତାଙ୍କର ଅଭିନୀତ ଏମଏସ ଧୋନୀ-ଦି ଅନଟୋଲ୍ଡ ଷ୍ଟୋରୀ ଥିଲା ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର । ଏଥିରେ ସେ ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ୟାପ୍ଟେନ୍ କୁଲଙ୍କ ଭୂମିକାରେ ନଜର ଆସିଥିଲେ । ଚଳଚ୍ଚିତ୍ରଟି ସୁପର୍ ହିଟ୍ ହୋଇଥିଲା ।
ଧୋନୀଙ୍କ ମ୍ୟାନେଜର୍ ଅରୁଣ ପାଣ୍ଡେ କହିଛନ୍ତି ଯେ, ଏହି ଖବରକୁ ବିଶ୍ୱାସ କରି ହେଉନାହିଁ । ଏହି ଦୁଃଖକୁ ବୟାନ କରିବା କଷ୍ଟକର । ଧୋନୀ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହା ସମସ୍ତଙ୍କୁ ସ୍ତବ୍ଧ କରିଛି । ଧୋନୀଙ୍କ ତରଫରୁ ତାଙ୍କ ମ୍ୟାନେଜର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।
ସୁଶାନ୍ତ ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା ଥିଲେ। ସେ ଟିଭିରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ‘କିସ ଦେଶ ମେଁ ହେ ମେରା ଦିଲ’ ଧାରାବାହିକରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ କିନ୍ତୁ ତାଙ୍କୁ ଏକତା କପୁରଙ୍କ ପବିତ୍ର ରିସ୍ତାରୁ ପରିଚୟ ମିଳିଥିଲା। ଏହା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ। ସେ ଫିଲ୍ମ କାଇ ପୋ ଚେ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟର ମଧ୍ୟ ପ୍ରଶଂସା ମିଳିଥିଲା।










