କ୍ବାରେଣ୍ଟାଇନ ସେଣ୍ଟର ଖାଦ୍ୟରୁ ବାହାରିଲା ମଲା ବେଙ୍ଗ
ମହାକାଳପଡ଼ା;=କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ବଡ଼ିହ ପଞ୍ଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମ୍ସି)ରେ ପ୍ରବାସୀଙ୍କୁ ଦିଆଯାଇଥିବା ଖାଦ୍ୟରୁ ବାହାରିଛି ମଲା ବେଙ୍ଗ । ଶନିବାର ରାତିରେ ଟିଏମ୍ସି ଅନ୍ତେବାସୀଙ୍କ ପାଇଁ ଆସିଥିବା ଖାଦ୍ୟ ପାର୍ସଲରୁ ଜଣଙ୍କ ଡାଲିରେ ମଲା ବେଙ୍ଗ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ପ୍ରବାସୀମାନେ ସମୂହ ଖାଦ୍ୟ ବର୍ଜନ କରି ଉପବାସରେ ରହିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଖାଦ୍ୟକୁ ମଲା ବେଙ୍ଗ କିପରି ଆସିଲା ତାହା ଜଣାପଡ଼ିନାହିଁ ।
ପଞ୍ଚାୟତର ସରପଞ୍ଚ ବିଶ୍ୱଜିତ୍ ସେଠୀଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ ଘଟଣା ବାବଦରେ ଶୁଣିଥିବା କଥା କହିଥିବା ବେଳେ ନିର୍ବାହୀ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ସେ ଫୋନ୍ କାଟି ଦେଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପଚାରିବାରେ ସେ ଏ ସଂପର୍କରେ ବୁଝୁଛନ୍ତି ଏବଂ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।










