ବୃଦ୍ଧା ମା’ଙ୍କୁ ତଡ଼ିଦେଲା ପୋଷ୍ୟପୁତ୍ର, ଆଶ୍ରୟ ପାଇଁ ବାରଦୁଆର

ରଣପୁର;=ରଣପୁର ବ୍ଲକ୍‌ ଅନ୍ତର୍ଗତ ମୟୂରଝାଲିଆ ପଞ୍ଚାୟତ ଅଧୀନ ହରିହରପୁର ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଏହି ଗାଁ’ରେ ରହୁଥିବା ସ୍ୱର୍ଗତଃ ବୁଦ୍ଧିବାମନ ସାହୁଙ୍କ ପତ୍ନୀ କୁମୁଦିନୀ ସାହୁ (୭୦)ଙ୍କୁ ପୋଷ୍ୟ ପୁତ୍ର ଘରୁ ତଡ଼ିଦେଇଥିବା ବେଳେ ଆଶ୍ରୟ ପାଇଁ ସେ ବାରଦୁଆର ହେଉଥିବା ଦେଖିବାକୁ ମିଳିଛି। ଏ ନେଇ କୁମୁଦିନୀ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।ଅଭିଯୋଗ ମୁତାବକ ଚାନ୍ଦପୁର ଥାନା ଅନ୍ତର୍ଗତ ମୟୂରଝାଲିଆ ପଞ୍ଚାୟତ ଅଧୀନ ହରିହରପୁର ଗାଁ’ର କୁମୁଦିନୀ ଜଣେ ନିଃସନ୍ତାନ ବୃଦ୍ଧା ବ୍ୟକ୍ତି। ତେବେ କୁମୁଦିନୀଙ୍କ ସ୍ୱାମୀଙ୍କ ଦେହାନ୍ତ ହେବାର ଇତି ମଧ୍ୟରେ ୯ ବର୍ଷ ବିତିଯାଇଥିବା ବେଳେ ବୃଦ୍ଧାବସ୍ଥାରେ ସହାୟତା ପାଇଁ ପୁତୁରା ରଞ୍ଜିତ ମହାନ୍ତି (୩୫)କୁ ସେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ହେଲେ ପୋଷ୍ୟପୁତ୍ର ରଞ୍ଜିତ ଓ ତାଙ୍କ ସ୍ତ୍ରୀ ପ୍ରାଚୀ ମିଶି ଅନେକ ସମୟରେ କୁମୁଦିନୀଙ୍କୁ ନାନାଦି ଭାଷାରେ ଗାଳିଗୁଲଜ କରିବା ସହ ମାରଧର କରିଆସୁଛନ୍ତି। ତେବେ ଏଥିରେ ସେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଗତକାଲି ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ବାବୁ କୁଆଡ଼େ ଏତଲା ଗ୍ରହଣ କରିବା ପରିବର୍ତ୍ତେ ବୃଦ୍ଧା କୁମୁଦିନୀଙ୍କୁ ଉକ୍ତ ଘଟଣାର ସମାଧାନ କରିବାକୁ କହି ଥାନାରୁ ତଡ଼ି ଦେଇଥିଲେ। ତେବେ ଅନ୍ୟନୋପାୟ ହୋଇ ଶେଷରେ କୁମୁଦିନୀ ଗାଁ’କୁ ଫେରି ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିବା ଜଣାଯାଇଛି।ଚାନ୍ଦପୁର ଥାନା ଆଇଆଇସି ଡି. ନାହାକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ନ ଉଠାଇବାରୁ ଉତ୍ତର ମିଳିପାରିନାହିଁ। ଅପରପକ୍ଷେ ନିରୀହ ଗରିବ ଓ ଅସହାୟ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସରକାର ୫ଟି ଓ ମୋ ସରକାର କରିଥିଲେ ମଧ୍ୟ ଏହା କାହା ସ୍ୱାର୍ଥରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *