କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକରେ ନିଷ୍ପତ୍ତି, ଦିଲ୍ଲୀରେ ଏବେ ଦୈନିକ ୨ ଗୁଣ ଓ ୬ ଦିନପରେ ୩ ଗୁଣା ହେବ କରୋନା ଯାଞ୍ଚ
ନୂଆଦିଲ୍ଲୀ:-ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜରୁରି ବୈଠକ କରିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ପ୍ରମୁଖ ଯୋଗଦେଇଥିବା ବେଳେ ଦିଲ୍ଲୀକୁ ସଂକ୍ରମଣ ମୁକ୍ତ କରିବା ଓ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ଯେ କୌଣସି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି।
ବୈଠକରେ ଏବେ ରାଷ୍ଟ୍ରୀୟ ରାଜଧାନୀରେ ଦୈନିକ କରୋନା ଯାଞ୍ଚ ଦୁଇଗୁଣାକୁ ବୃଦ୍ଧି କରିବା ଓ ୬ ଦିନ ପରେ ୩ଗୁଣା କରିବା ଲାଗି ନିଷ୍ପତ୍ତି ହୋଇଛି। ସେହିପରି ସଂକ୍ରମିତଙ୍କ କ୍ୱାରେଣ୍ଟାଇନ ଓ ଚିକିତ୍ସା ଲାଗି କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ୫୦୦ ରେଳ କୋଚ୍ ପ୍ରଦାନ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ହସ୍ପିଟାଲରେ ଶଜ୍ୟା ଅଭାବ ଅଭିଯୋଗ ଦୂର ହେବା ସହ ସଂକ୍ରମିତ ଲୋକଙ୍କ ଚିକିତ୍ସା ସୁଗମ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି।
ସେହିପରି କଣ୍ଟେନମେଣ୍ଟ ଜୋନରେ ପ୍ରତିବ୍ୟକ୍ତି ଯାଞ୍ଚ ଉପରେ ମଧ୍ୟ ବୈଠକରେ ପ୍ରାଥମିକତା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଲୋକଙ୍କ ଘରକୁ ଘର ଯାଇ ସର୍ଭେ କରିବା ସହ ଯାଞ୍ଚ ଲାଗି ନମୁନା ସଂଗ୍ରହ କରିବେ। ଏହି ନମୁନା ଯାଞ୍ଚ ରିପୋର୍ଟ ୨ ଦିନରେ ପାଇବା ଲାଗି ବ୍ୟବସ୍ଥା କରାଯିବା ସହ ଚିହ୍ନଟ ସଂକ୍ରମିତଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ ଓ ଡାକ୍ତରୀ ଚିକିତ୍ସା ସୁବିଧାଯୋଗାଇ ଦିଆଯିବ ବୋଲି କୁହାଯାଇଛି।










