ଚୋର ଧରିବାକୁ ପୋଲିସ ନାକେଦମ, ଆନ୍ତଃରାଜ୍ୟ ଡକାୟତ ପୋଲିସ ଉପରକୁ କରିଥିଲା ବୋମାମାଡ

ରେମୁଣା:-ଦୀର୍ଘ ୫ ଘଣ୍ଟାର କସରତ ପରେ କୁଖ୍ୟାତ ଆନ୍ତଃରାଜ୍ୟ ଡକାୟତକୁ କାବୁ କଲା ରେମୁଣା ପୋଲିସ । ସୂଚନା ଅନୁଯାୟୀ ରେମୁଣା ସାମୁରାଇପୁର ଗାଁର ଈଶ୍ବର ମହାଳିକ ନାମକ ଯୁବକ ନାଁରେ ୪୦ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି । ଏକ ଡକାୟତି ଘଟଣାର ପୋଲିସ ତଦନ୍ତ କରୁଥିବା ସମୟରେ ରେମୁଣା ପୋଲିସ ତା ଘର ଉପରେ ତୀକ୍ଷ୍ଣ ନଜର ରଖିଥିଲା ।

ଶନିବାର ରାତିରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସେ ଘରେ ଥିବା ଖବର ପାଇ ଆଜି ଭୋର ୫ଟା ସମୟରେ ମନୋଜ କୁମାର ରାଉତ (ଡିଏସପି କ୍ରାଇମ୍), ରେମୁଣା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ଓ ସହଦେବ ଖୁଣ୍ଟା ଆଇଆଇସି କୃଷ୍ଣ ଚନ୍ଦ୍ର ପଲାଇ ଦୁଇ ସେକ୍ସନ ପୋଲିସ ଫୋର୍ସ ସହିତ ସାମୁରାଇପୁର ସ୍ଥିତ ଈଶ୍ବରର ଘରେ ଚଢାଉ କରିଥିଲେ । ତେବେ ଈଶ୍ବର ନିଜ ଘର ଦୁଇ ମହଲା ଛାତ ଉପରକୁ ଯାଇ ପୋଲିସ ଉପରକୁ ସୁତୁଲି ବୋମା ଫୋପାଡିବା ସହିତ ଟେକା ପଥର ମାଡ କରିଥିଲା । ଏଥିରେ କୌଣସି ପୋଲିସ କର୍ମଚାରୀ ଆହତ ହୋଇନଥିବା ଦେଖାଯାଇଛି ।ପୋଲିସର ସମସ୍ତ ଉଦ୍ୟମ ବିଫଳ ହେବା ପରେ ଡିଏସପି ଆଇଆଇ ସି ଲୁଟେରାକୁ ଆତ୍ମସମର୍ପଣ ପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ । ଦୀର୍ଘ ଏକ ଘଣ୍ଟା ଧରି ବୁଝାଇବା ପରେ ସେ ବାହାରକୁ ଆସିଥିଲା । ସକାଳ ୯ଟା ୩୦ ମିନିଟ ସମୟରେ ବାହାରକୁ ଆସିବା ସଙ୍ଗେ ସଙ୍ଗେ ପୋଲିସ ତାକୁ ଗିରଫ କରି ଗାଡିରେ ନେଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *