ବିବାହର ମିଛ ପ୍ରତିଶ୍ରୁତି ଦେଇ ବାର୍ ଗାର୍ଲଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର:-ରାଜଧାନୀରେ ଜଣେ ବାର୍‌ ଗାର୍ଲଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛି । ପରେ ପ୍ରତାରଣା କରି ସଂପୃକ୍ତ ଯୁବକ ଫେରାର୍‌ ହୋଇଯାଇଛି । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବାପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି । ସଂପୃକ୍ତ ଯୁବକକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

ମିଳିଥିବା ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଯୁବତୀ ଜଣଙ୍କ କଟକ ରୋଡ୍‌ରେ ଥିବା ଏକ ଡ୍ୟାନ୍ସ ବାର୍‌ରେ କାମ କରନ୍ତି । ଭଦ୍ରକର ଜଣେ ଯୁବକ ସେଠାକୁ ଯାଇଥିଲେ । ସେଠାରେ ଯୁବତୀଙ୍କ ସହିତ ତାଙ୍କର ପରିଚିତ ହୋଇଥିଲା । ଉଭୟ ଫୋନ୍‌ ନମ୍ବର ଦିଆନିଆ ହୋଇଥିଲେ । ତା’ପରେ ଆରମ୍ଭ ହୋଇ ଯାଇଥିଲା ପ୍ରେମ । ଉଭୟ ରାଜଧାନୀର ବିଭିନ୍ନ ମଲ୍‌ ଓ ହୋଟେଲ ଯାଇ ମଉଜମସ୍ତି କରିଥିଲେ ।

ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ପରେ ଆଉ ଧରାଛୁଆଁ ଦେଇ ନଥିଲେ । ଫୋନ୍‌ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ପ୍ରତାରଣାର ଶିକାର ହୋଇଥିବା ଜାଣି ବାର୍‌ ଗାର୍ଲ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ୨ଦିନ ଧରି ଭଦ୍ରକରେ ଚଢ଼ଉ କରିଥିଲା । ହେଲେ ସଂପୃକ୍ତ ଯୁବକଙ୍କୁ ନ ପାଇ ଖାଲି ହାତରେ ଫେରିଛି ପୁଲିସ ।

Leave a Reply

Your email address will not be published. Required fields are marked *