ସୁପ୍ରିମକୋର୍ଟଙ୍କ ନିର୍ଦେଶ: କର୍ମଚାରୀଙ୍କୁ ପୁରା ଦରମା ନମିଳିଲେ ସଂସ୍ଥା ବିରୋଧରେ ସରକାର କରିପାରିବେନି କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ:-ଲକଡାଉନ କାରଣରୁ ବନ୍ଦ ପଡିଥିବା କମ୍ପାନୀ ଓ ଫ୍ୟାକ୍ଟ୍ରି ମାଲିକଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଲକଡାଉନ ସମୟରେ ଯେଉଁ ଘରୋଇ କମ୍ପାନୀ ନିଜର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ଦେଉନାହାନ୍ତି ତାଙ୍କ ବିରୋଧରେ କେନ୍ଦ୍ର ସରକାର ଗ୍ରହଣ କରିପାରିବେନି କାର୍ଯ୍ୟାନୁଷ୍ଠାନ। କେନ୍ଦ୍ର ସରକାରଙ୍କ ନିର୍ଦେଶ ବିରୋଧରେ ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ କୋର୍ଟ ନିର୍ଦେଶ ଦେଇଛନ୍ତି ଯେ, ଏହି ସମୟରେ କୌଣସି କମ୍ପାନୀ କିମ୍ବା ଫ୍ୟାକ୍ଟ୍ରି ମ୍ୟାନେଜମେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଉଲ୍ଳେଖନୀୟ ଯେ, କେନ୍ଦ୍ର ସରକାରଙ୍କ ନିର୍ଦେଶକୁ ବିରୋଧ କରି ପଞ୍ଜାବର ଆସୋସିଏସନ୍ ଅଫ୍ କମ୍ପାନୀ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ।
ବିଚାରପତି ଏଲ.ନାଗେଶ୍ବର ରାଓ, ଜଷ୍ଟିସ୍ ସଞ୍ଜ କିଶନ କୌଲ ଓ ବି.ଆର ଗଓ୍ବଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କୋର୍ଟ କହିଛନ୍ତି, ଯେଉଁ ଘରୋଇ କମ୍ପାନୀ, କାରଖାନା ନିଜର କର୍ମଚାରୀଙ୍କୁ ଦରମା ଦେଉ ନାହାନ୍ତି ତାଙ୍କ ବିରୋଧରେ ମାମଳା ରୁଜୁ ହେବ ନାହିଁ। ଉଲ୍ଲେଖନୀୟ ଯେ, ଗତ ୨୯ ମାର୍ଚ୍ଚରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏକ ସର୍କୁଲାର ଜାରି କରି ଘରୋଇ ପ୍ରତିଷ୍ଠାନକୁ ନିର୍ଦେଶ ଦେଇଥିଲେ ସେମାନେ ଦେଶବ୍ୟାପୀ ଲକଡାଉନ୍ ସମୟରେ ମଧ୍ୟ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ପେମେଣ୍ଟ ଦିଅନ୍ତୁ।










