ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରି ତେଲ

ପୁରୀ :- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କୁ  ଲାଗିହୋଇଛି ଫୁଲୁରି ତେଲ । ସ୍ନାନପୂର୍ଣ୍ଣିମାରେ ୧୦୮ଗରା ଜଳ ସ୍ନାନ ପରେ ଏବେ  ଜ୍ବରରେ ପୀଡ଼ିତ ଚତୁର୍ଦ୍ଧାମୂରତି । ତେଣୁ  ପୀଡ଼ା ଲାଘବ ପାଇଁ ଅନବସରର ପଞ୍ଚମୀ ଦିନ ମହାପ୍ରଭୁଙ୍କ ଶରୀରରେ ଫୁଲୁରି ତେଲ ମାଲିସ କରିଛନ୍ତି ଦଇତାପତିମାନେ । ଶ୍ରୀଜିଉମାନଙ୍କ ପାଇଁ ଏହି ଫୁଲୁରି ତେଲ ପ୍ରସ୍ତୁତ କରିଥାନ୍ତି ବଡ଼ ଓଡ଼ିଆ ମଠ । ସେପଟେ ରଥ ଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ….

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ଜଳରେ ସ୍ନାନ କରିବା ପରେ ଏବେ ଜ୍ବରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂରତି । ମହାପ୍ରଭୁଙ୍କ ଶରୀର ପୀଡ଼ା ଲାଘବ ପାଇଁ ଅନବସରର ପଞ୍ଚମୀ ଦିନ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ୍‌ କରିଛନ୍ତି ଦଇତାପତିମାନେ । ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ଏହି ଫୁଲୁରି ତେଲ । ପୂର୍ବବର୍ଷ ହେରାପଞ୍ଚମୀ ଦିନ ତିନିଟି ମାଟି ନିର୍ମିତ ପାତ୍ର​‌ରେ ଘଣାପେଡ଼ା ରାଶିତେଲ, ବେଣାଚେର, କୃଷ୍ଣଭୋଗ ଧାନ, କେତକୀ ଫୁଲ ସହ ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରୀ ମିଶ୍ରଣ କରି ଏହି ତେଲ ମାଟି ତଳେ ପୋତା ହୋଇରହିଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ଏହି ତେଲକୁ ବାହାର କରାଯିବା ପରେ ପଞ୍ଚମୀ ଦିନ ତେଲକୁ ଛଣାଯାଏ । ଆଉ ବଡ଼ ଓଡ଼ିଆ ମଠର ସଦସ୍ୟମାନେ ପ୍ରାୟ ୬ ସେର ଫୁଲୁରି ତେଲ ନେଇ ଶ୍ରୀମନ୍ଦିରରେ ଦଇତାପତିଙ୍କୁ ଅର୍ପଣ କରିଥାନ୍ତି । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣ ଘର ଭୋଗ ନୀତି ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ ଅଣସର ଦ୍ବାରା ଖୋଲାଯାଏ । ଏହା ପରେ ପତିମହାପାତ୍ର ୩ଟି ରୂପା ପିଙ୍ଗଣରେ ତେଲକୁ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ କରିଥାନ୍ତି ।

ଫୁଲୁରି ତେଲ ମାଲିସ ପରେ ମହାପ୍ରଭୁଙ୍କ ଶରୀରପୀଡ଼ା ଲାଗବ ହୋଇଥାଏ ଏବଂ ସେ ଶେଜରୁ ଉଠି ଡେରି ହୋଇ ବସନ୍ତି ବୋଲି ବିଶ୍ବାସ ରହିଛି । ଆସନ୍ତାକାଲି ରାଜବୈଦ୍ୟଙ୍କ ଦ୍ବାରା ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ଏପଟେ ମହାପ୍ରଭୁଙ୍କୁ ଆରୋଗ୍ୟ ଲାଗି ଦଇତାପତିମାନେ ଲାଗିଥିବା ବେଳେ ସେପଟେ ଜଗତଠାକୁରଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣରେ ବ୍ୟସ୍ତ ଅଛନ୍ତି ବିଶ୍ବକର୍ମା ମହାରଣା, ରୂପକାର, ଚିତ୍ରକର, କମାର ଓ ଭୋଇ ସେବାୟତମାନେ । ପ୍ରତ୍ୟେକ ରଥର ଭୂଇଁଟୁଙ୍ଗୁରା କାମ ଶେଷ ହୋଇଥିବା ବେଳେ ଏବେ କଇଁଚି, କଳସ, ପଟ୍ଟା ପଡ଼ିବା ପାଇଁ ତାଗ ବାଡ଼ିଆ କାମ ଚାଲିଛି ।

Leave a Reply

Your email address will not be published. Required fields are marked *