ଶ୍ରୀମନ୍ଦିରର ସେବାୟତଙ୍କୁ ମିଳିବ ୫,୦୦୦ ଟଙ୍କାର ଆର୍ଥିକ ସହାୟତା

ପୁରୀ:-ଶ୍ରୀମନ୍ଦିର ପରିଚାଳନା ସମିତି ଓ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟତଃ ସେବାୟତମାନଙ୍କ କଲ୍ୟାଣ ନେଇ ଆଲୋଚନା ହୋଇଥିଲା। କୋଭିଡ୍ -୧୯ ମୁକାବିଲା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ବନ୍ଦ ରହିଥିବାରୁ ସେବାୟତମାନଙ୍କ ଆର୍ଥିକ ଅବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତଙ୍କୁ ଦ୍ୱିତୀୟ କିସ୍ତିରେ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲା। ଏଥିସହିତ ନୀତିକାନ୍ତି ପାଇଁ ସେବାୟତଙ୍କୁ ମାସ୍କ ଦିଆଯିବ ବୋଲି ଏହି ବୈଠକରେ ସ୍ଥିର ହୋଇଛି।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି ଯେ, ଦ୍ୱିତୀୟ କିସ୍ତିରେ ସବୁ ସେବାୟତଙ୍କୁ ପୁଣି ଥରେ ୫୦୦୦ ଟଙ୍କା ଲେଖାଏଁ ଦିଆଯିବ ଏବଂ ସମସ୍ତଙ୍କୁ ମାସ୍କ ଯୋଗାଇ ଦିଆଯିବ। ଏଥିଲାଗି ବୟନିକା ସହିତ ଯୋଗାଯୋଗ କରି ସମ୍ବଲପୁରୀ ପଡ଼ାରେ ମାସ୍କ ତିଆରି କରିବାର ପ୍ରସ୍ତାବ ରହିଛି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ପରିଚାଳନା କମିଟିର ସଦସ୍ୟ ଓ ସେବାୟତ ପ୍ରତିନିଧିଙ୍କ ସହ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଆଲୋଚନା କରିଥିଲେ। ଏଥିସହିତ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ନେଇ ବୈଠକରେ ସମୀକ୍ଷା କରାଯାଇଥିଲା।

Leave a Reply

Your email address will not be published. Required fields are marked *