ଦେଶରେ ବଢିଲା ସିଂହ ସଂଖ୍ୟା, ଟ୍ଵିଟ୍ କରି ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ:-ଦେଶରେ ସିଂହଙ୍କ ସଂଖ୍ୟାରେ ୨୯ ପ୍ରତିଶତ ବୃ୍ଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ ସିଂହଙ୍କ ଫଟୋ ସହିତ ଟ୍ଵିଟ୍ କରିଛନ୍ତି ଯେ, ଗୁଜରାଟର ଗିର ଅଭୟାରଣ୍ୟରେ ରହୁଥିବା ସିଂହଙ୍କ ସଂଖ୍ୟା ପ୍ରାୟ ୨୯ ପ୍ରତିଶତ ବୃଦ୍ଧି ଘଟିଛି। ସେମାନଙ୍କର ରହିବାର ସ୍ଥାନର ପରିଧି ମଧ୍ୟ ୩୬ ପ୍ରତିଶତ ବୃଦ୍ଧି ଘଟିଛି। ଏଥିପାଇଁ ଗୁଜରାଟର ଲୋକ ଓ ସେମାନେ ଅଭିନନ୍ଦନର ପାତ୍ର ଯାହାଙ୍କ ପ୍ରଚେଷ୍ଟାରେ ଏହି ଉପଲବ୍ଧି ହାସଲ ହୋଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ କିଛି ବର୍ଷରେ ଗୁଜରାଟରେ ସିଂହଙ୍କ ସଂଖ୍ୟା ଲଗାତାର ବୃଦ୍ଧି ଘଟିଛି। ଏହା ଜନ ସହଭାଗିତା, ଜ୍ଞାନ କୌଶଳର ଉପଯୋଗ, ବନ୍ୟଜନ୍ତୁଙ୍କ ଉତ୍ତମ ଯତ୍ନ ନେବା, ଉଚିତ୍ ରହଣୀ ବ୍ୟବସ୍ଥା ତଥା ମଣିଷ ଓ ସିଂହଙ୍କ ମଧ୍ୟରେ ସଂଘର୍ଷ କମ୍ ହେବା କାରଣରୁ ଦେଶରେ ସିଂହଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଆଶା କରାଯାଉଛି ଆଗାମୀ ସମୟରେ ମଧ୍ୟ ଏଥିରେ ଆହୁରି ସକରାତ୍ମକ ପରିଣାମ ମିଳିବ।
ସିଆ ସିଂହଙ୍କ ପାଇଁ ପ୍ରସିଦ୍ଧ ଗିର ଜାତୀୟ ପ୍ରାଣୀ ଉଦ୍ୟାନ ୪୧୨ ବର୍ଗ କିଲୋମିଟର ବ୍ୟାପ୍ତ ରହିଛି। ଗତ ଅନେକ ବର୍ଷରୁ ଗୁଜରାଟ ସରକାର ଓ ବନ ବିଭାଗ ସିଂହଙ୍କ ସଂରକ୍ଷଣକୁ ନେଇ କାମ କରି ଆସୁଛନ୍ତି। ଏହି କାରଣରୁ ଏଠାରେ ଗତ କିଛି ବର୍ଷ ହେବ ସିଂହଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି। ଗିର ଜଙ୍ଗଲ ଦେଶରେ ଏସୀୟ ସିଂହଙ୍କ ଏକମାତ୍ର ବାସସ୍ଥଳୀ ଅଟେ।
ପୂରା ଦୁନିଆରେ ଦକ୍ଷିଣ ଆଫ୍ରିକା ବ୍ୟତୀତ ଗିର ଜାତୀୟ ପ୍ରାଣୀ ଉଦ୍ୟାନ ଏକମାତ୍ର ଏମିତି ଜାଗା ଯେଉଁଠି ସିଂହଙ୍କୁ ନିଜର ପ୍ରାକୃତିକ ବାସସ୍ଥାନରେ ରହୁଥିବା ଦେଖିବାକୁ ମିଳେ।










