ବାତ୍ୟା ରୂପ ନେଲା ‘ଆମ୍ଫାନ’ , କାଲି ସିଭିୟର ସାଇକ୍ଲୋନିକ ଷ୍ଟ୍ରର୍ମରେ ହେବ ପରିଣତ

ଭୁବନେଶ୍ୱର::-ସମୁଦ୍ର ମଝିରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଆଇଏମଡି ବା ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୦ ତାରିଖରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଆମ୍ଫାନ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଥିବା ଗଭୀର ଅବପାତର ଏବେ ବାତ୍ୟା ବା ସାମୁଦ୍ରିକ ଝଡ଼ ବା ସାଇକ୍ଲୋନିକ୍ ଷ୍ଟ୍ରର୍ମର ରୂପ ନେଇଛି । ଏହା ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୧୦୪୦ କିଲୋମିଟର ଦୂରରେ ରହିଛି । ଶେଷ ୬ ଘଂଟାରେ ଏହା ଘଂଟା ପ୍ରତି ୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ଗଭୀର ଅବପାତ ଆହୁରି ଘନିଭୂତ ହେବ । ୧୨ ଘଂଟା ପରେ ତୀବ୍ର ସାମୁଦ୍ରିକ ଝଡ଼ ବା ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମରେ ଏହା ପରିଣତ ହେବ ।ତେବେ ୧୮ ତାରିଖ ସକାଳ ବେଳା ଏହା ଆହୁରି ଶକ୍ତି ସଂଗ୍ରହ କରି ଅତି ତୀବ୍ର ସାମୁଦ୍ରିକ ଝଡ଼ ବା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହେବାର ସମ୍ଭାବନା ରହିଛି । ଆଇଏମଡିର ଆକଳନ ଅନୁସାରେ ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ସ୍ଥଳ ଭାଗରେ ମାଡ ହେବ ବାତ୍ୟା ଅମ୍ଫାନ । ବର୍ତମାନର ଆକଳନ ଅନୁସାରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡପଲ୍ ହେବ ବାତ୍ୟା ।ସେପଟେ ଓଡ଼ିଶାରେ ଏହାର ପ୍ରଭାବ ପଡିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । ଓଡ଼ିଶାରେ ୧୮ ତାରିଖରୁ ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହେବ । ତେବେ କାଲି ସଂଧ୍ୟା ପରେ ବାତ୍ୟା କେଉଁ ଆଡକୁ ଯିବ, ଓଡ଼ିଶା ମୁହାଁ ହେବ କି ପଶ୍ଚିମବଙ୍ଗ ମୁହାଁ ହେବ, ଏ ନେଇ ଆହୁରି ସ୍ପଷ୍ଟ ସୂଚନା ମିଳିବ । କାରଣ ଗଭୀର ଅବପାତ ଏବେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଏହାର ରି-କର୍ଭ ବା ଦିଗ ପରିବର୍ତନ ହେବ । ଦିଗ ପରିବର୍ତନ ହେବା ପରେ ବାତ୍ୟା କେଉଁ ଆଡକୁ ଯିବ ଏବଂ କେଉଁଠି ମାଡ ହେବ, ଏ ନେଇ ସଂକେତ ମିଳିବ ।

Leave a Reply

Your email address will not be published. Required fields are marked *