ଲକ୍ଡାଉନ୍ ବେଳେ ଗର୍ଭବତୀ ସ୍ତ୍ରୀଙ୍କୁ ହସ୍ପିଟାଲ ଯିବାକୁ ପାସ୍ ଖଣ୍ଡେ ଯୋଗାଇଥିଲେ,ଝିଅ ହେବା ପରେ ନାଁ ଦେଲେ ‘ସାଗରିକା’
ଭୁବନେଶ୍ୱର;=ଲକ୍ଡାଉନ୍ ବେଳେ ଗର୍ଭବତୀ ସ୍ତ୍ରୀଙ୍କୁ ହସ୍ପିଟାଲ ଯିବାକୁ ପାସ୍ ଖଣ୍ଡେ ଯୋଗାଇଥିଲେ । ଯାହାକି, ଯେକୌଣସି ପୁଲିସ ଅଧିକାରୀଙ୍କ ଡ୍ୟୁଟି । ହେଲେ କିଏ ଜାଣିଥିଲା, ସେହି ପାସ୍ ଖଣ୍ଡକ ପାଇଁ ସେ ପୁଣି ଏକ ନୂଆ ପରିଚୟ ପାଇବେ । ତାଙ୍କ ନାଁରେ ନବଜନ୍ମିତ ଶିଶୁକନ୍ୟାର ନାମକରଣ ହେବ । ଆମେ କହୁଛୁ ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କ କଥା । ଗର୍ଭବତୀ ମହିଳାଙ୍କୁ ଲକ୍ଡାଉନ୍ ପାସ ଯୋଗାଇଥିବାରୁ କେନ୍ଦ୍ରାପଡ଼ାର ହିମାଂଶୁ ଶେଖର ଦାସପଟ୍ଟନାୟକ ନିଜ ଝିଅ ନାଁ ‘ସାଗରିକା’ ରଖିଛନ୍ତି । ଯାହାକି, ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ମେ ୨୦ ତାରିଖରେ ହିମାଂଶୁଙ୍କ ଏକ ଶିଶୁକନ୍ୟା ଜନ୍ମ ନେଇଛି । ଏଥିପାଇଁ ଡିସିପି ସାଗରିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି ହିମାଂଶୁ । ସେ ଟୁଇଟ୍ ଯୋଗେ କହିଛନ୍ତି, କିଛି ଦିନ ତଳେ ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ଏକ ପାସ୍ ଯୋଗାଡ଼ କରିବାକୁ ସେ ଅନୁରୋଧ କରିଥିଲେ । ପରିସ୍ଥିତିକୁ ବୁଝି ଡିସିପି ତାଙ୍କ ପାସ୍ ଯୋଗାଡିଥିଲେ । ଏହି ପାସ୍ ଯୋଗେ ଉଭୟ ସ୍ୱାମୀ-ସ୍ତ୍ରୀ ନିଜ ଗାଁକୁ ଯାଇପାରିଥିଲେ । ଏଥିଯୋଗୁଁ ତାଙ୍କ ଝିଅଙ୍କ ନାଁ ସାଗରିକା ରଖିଥିବା ସେ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି । ଯାହାର ଉତ୍ତର ରଖି ଟୁଇଟ୍ ଯୋଗେ ଡିସିପି ସାଗରିକା କହିଛନ୍ତି, ଏଭଳି ଅସମୟରେ ପୁଲିସ ସହାୟତା କରି ପାରିଥିବାରୁ ଖୁସି ଲାଗୁଛି । ଆଶା କରୁଛି, ମା ଝିଅଙ୍କ ସୁସ୍ଥ ଥିବେ । ଆଗାମୀ ଦିନରେ ଆପଣଙ୍କ ସାଗରିକା ଆପଣଙ୍କୁ ଗର୍ବିତ କରିବ ବୋଲି ଆଶା ।










