ପଞ୍ଜାବରେ ମେ ୩୧ ପର୍ଯ୍ୟନ୍ତ ବଢିଲା ଲକ୍ଡାଉନ୍
ଚଣ୍ଡିଗଡ:-କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ପଞ୍ଜାବରେ ଲକ୍ଡାଉନ୍ ଅବଧି ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜନତାଙ୍କୁ ଲକ୍ଡାଉନ୍ରେ ସାହାଯ୍ୟ କରିବାକୁ ଅପିଲ୍ କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେଡ୍ ଅମରିନ୍ଦର ସିଂହ କହିଛନ୍ତି ମେ ୧୮ରେ ଲକ୍ଡାଉନ୍ ୪ରେ ବହୁତ ରିହାତି ଦେବାର ଘୋଷଣା କରାଯିବ। କିନ୍ତୁ ଏଥିରେ ଜନତାଙ୍କ ସାହାଯ୍ୟ ଅପରିହାର୍ଯ୍ୟ, ନହେଲେ ଏହା ପୂରା ହୋଇ ପାରିବ ନାହିଁ। ସରକାର ରାଜ୍ୟରେ କର୍ଫ୍ୟୁ ହଟାଇବାକୁ ନିର୍ଣ୍ଣୟ ନେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋତେ ଜଣା ନାହିଁ ମେ ୧୮ରେ କେନ୍ଦ୍ର ସରକାର କଣ ଘୋଷଣା କରିବାକୁ ଯାଉଛନ୍ତି , ମାତ୍ର ମୁଁ ଅଧିକରୁ ଅଧିକ ସହରକୁ ଖୋଲି ଦେବି। କିନ୍ତୁ ଯେଉଁଠି କରୋନାର ଅଧିକ କେସ୍ ରହିଛି, ସେଠାରେ ପ୍ରତିବନ୍ଧକ ପୂର୍ବବତ ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ରେଡ୍, ଗ୍ରୀନ, ଅରେଞ୍ଜ ଜୋନ୍ ପକ୍ଷରେ ନଥିଲେ ବରଂ ରାଜ୍ୟକୁ କଣ୍ଟେନମେଣ୍ଟ୍ ଓ ନନ କଣ୍ଟେନମେଣ୍ଟ୍ ଜୋନରେ ବିଭକ୍ତ କରିବା ପକ୍ଷରେ ଥିଲେ।
ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଦେଶରେ ଲକ୍ଡାଉନ୍ ଅବଧି ଆଉ ଦୁଇ ସପ୍ତାହ ବୃଦ୍ଧି କରି ପାରନ୍ତି। ଏହା ମେ ୩୧ ଯାଏ ଲାଗୁ ହେବ। ଲକ୍ଡାଉନ୍ରେ କଣ କଣ କୋହଳ କରାଯିବ ସେ ନେଇ କେନ୍ଦ୍ର ସରକାର ରବିବାର ଏହାର ସୂଚନା ଦେଇ ପାରନ୍ତି।










