ମାନବଜାତି ଲାଗି ଉଦାହରଣ ସୃଷ୍ଟି କଲେ ଯବାନ, ଗର୍ଭବତୀ ହରିଣକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲେ
ନୂଆଦିଲ୍ଲୀ:-ନିକଟରେ କେରଳରେ ଏକ ଗର୍ଭିଣୀ ହାତୀକୁ ସପୁରୀରେ ବିସ୍ଫୋରଣ ଦେଇ ହତ୍ୟା କରିବା ଘଟଣା ପୂରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଏହାକୁ ନେଇ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ମଧ୍ୟରେ ଏକ ବାହାଦୂରୀ ଏବଂ ଉଦାହରଣ ସୃଷ୍ଟି କରିବା ପରି କାମ ଭାରତୀୟ ଆର୍ମି କରିଛନ୍ତି। ଭାରତୀୟ ସେନାର ଯବାନ ଏକ ଗଜବ କାମ କରିଛନ୍ତି। ଏହି ଘଟଣା ଅରୁଣାଚଳ ପ୍ରଦେଶର। ଏଠାରେ ଏକ ଗର୍ଭବତୀ ହରିଣର ଜୀବନ ବଞ୍ଚାଇବା ଲାଗି ସେନାର ଏକ ଯବାନ ନିଜ ଜୀବନକୁ ବାଜିରେ ଲଗାଇ ନଦୀକୁ ଡେଇଁଥିଲେ ଏବଂ ହରିଣକୁ ବଞ୍ଚାଇଛନ୍ତି।
ସୂଚନା ଅନୁଯାୟୀ ଏହି ଘଟଣା ଜୁନ ୨ର। ଇଷ୍ଟର୍ଣ୍ଣ କମାଣ୍ଡ ନିଜର ଟୁଇଟ୍ର ପେଜ୍ରେ ଏହି ସୂଚନା ଦେଇଛନ୍ତି। ଟୁଇଟ୍ରେ ଲେଖା ହୋଇଛି, ଭାରତୀୟ ସେନାର ୟୁନିଟ୍ର ଯବାନ ଜୁନ ୨ରେ ଏକ ଗର୍ଭିଣୀ ହରିଣକୁ ଜାଇଡିଙ୍ଗ ଖୋ ନଦୀରେ ବୁଡି ଯିବାରୁ ବଞ୍ଚାଇଛନ୍ତି। ଏହା ପରେ ବନ ବିଭାଗ ସାହାଯ୍ୟରେ ପ୍ରାଥମିକ ଉପଚାର କରାଯାଇଛି। ପରେ ହରିଣକୁ ଇଗଲ୍ସ ନେଷ୍ଟ ଓ୍ଵାଇଲ୍ଡଲାଇଫ୍ ଅଭୟାରଣ୍ୟରେ ଛାଡି ଦିଆଯାଇଛି। ଖବର ଅନୁଯାୟୀ ସେନା ପାଟ୍ରୋଲିଂରେ ବାହାରିଥିଲେ। ଏହି ସମୟରେ ନଦୀରେ ହରିଣଟି ଭାସି ଯାଉଥିବା ସେନାର ଯବାନ ଦେଖିବାକୁ ପାଇଥିଲେ। କାଳ ବିଳମ୍ବ ନକରି ସେନାର ଯବାନ ନଦୀକୁ ଡେଇଁ ହରିଣର ଜୀବନ ବଞ୍ଚାଇଛନ୍ତି।ଉଦ୍ଧାର ହୋଇଥିବା ଏହି ହରିଣଟି ବିଲୁପ୍ତ ପ୍ରଜାତିର। ବାର୍କିଙ୍ଗ ପ୍ରଜାତିର ଏହି ହରିଣ ପାଖରେ ଯେବେ କୌଣସି ଶିକାରୀ ଥାନ୍ତି ତେବେ ଏହା କୁକୁର ପରି ସ୍ଵର କରିଥାନ୍ତି। ଏହି କାରଣରୁ ଏହାକୁ ବାର୍କିଙ୍ଗ ଡିୟର କୁହାଯାଏ। ଏହି ଘଟଣା ପରେ ଲୋକେ ଯବାନଙ୍କ ଖୁବ୍ ପ୍ରଶଂସା କରିଛନ୍ତି।










