ଭାରତରେ ଫୁଟିବ କରୋନା ବୋମା ,ସାବଧନା କଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା:- ଦେଶ ଅନ୍‌ଲକ୍‌ ହେବା ସହ ଆଗକୁ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)। ମାର୍ଚ୍ଚ ଶେଷ ଭାଗରେ ଜାରି କରାଯାଇଥିବା ଲକ୍‌ଡାଉନ୍‌କୁ ଧୀରେ ଧୀରେ ହଟାଯାଉଛି। ଦେଶରେ ସାମାଜିକ ଏବଂ ବ୍ୟବସାୟିକ ଗତିବିଧି ବଢ଼ିବାକୁ ଲାଗିଲାଣି । ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି। ଲକ୍‌ଡାଉନ୍‌କୁ ହଟାଇବା ଭାରତ ପାଇଁ ବିପଦପୂର୍ଣ୍ଣ ରହିପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବିଶେଷଜ୍ଞ ମାଇକେଲ ରିଆନ୍‌ ।ରିଆନ୍‌ କହିଛନ୍ତି, ଭାରତରେ କରୋନା ମାମଲାରେ ଆଗକୁ ଭୟଙ୍କର ବୃଦ୍ଧି ଦେଖିବାକୁ ମିଳିବ । ଦେଶରେ କରୋନା ସ୍ଥିତି ଏବେ ବିସ୍ଫୋଟକ ନାହିଁ । କିନ୍ତୁ ଭାରତ ସରକାର ପର୍ଯ୍ୟାୟ କ୍ରମେ ଲକ୍‌ଡାଉନ୍‌କୁ ହଟାଇବା ପାଇଁ ବଢୁଥିବାରୁ ଆଗକୁ ସାଂଘାତିକ ଅବସ୍ଥା ହୋଇଯିବ । ଡବ୍ଲ୍ୟୁଏଚ୍‌ଓର ସ୍ୱାସ୍ଥ୍ୟ ଜରୁରି୍‌ ସ୍ଥିତି କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ମାଇକେଲ ରିଆନ୍‌ କହିଛନ୍ତି ଯେ, ଆଉ ମାତ୍ର ୩ ସପ୍ତାହରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଇପାରେ।

ରିଆନ୍‌ କହିଛନ୍ତି, ଭାରତର ବିଭିନ୍ନ ପ୍ରାନ୍ତରେ ମହାମାରୀର ପ୍ରଭାବ ଭିନ୍ନ ଭିନ୍ନ ରହିଛି ଏବଂ ସହର ଓ ଗ୍ରାମୀଣ କ୍ଷେତ୍ର ମଧ୍ୟରେ ଅନ୍ତର ଅଛି । ଦକ୍ଷିଣ ଏସିଆରେ କେବଳ ଭାରତରେ ନୁହେଁ ବାଂଲାଦେଶ ଏବଂ ପାକିସ୍ତାନରେ ବି ମହାମାରୀର ରୂପ ବିସ୍ଫୋଟକ ହୋଇନାହିଁ । କିନ୍ତୁ ସରକାର ଭାବିଚିନ୍ତି ତଥା ସାବଧାନତାର ସହ ପଦକ୍ଷେପ ନ ନେଲେ ଏହି ବିପଦ ଆଗକୁ ମହାବିପତ୍ତି ପାଲଟିପାରେ ।

ରିଆନ୍‌ କହିଛନ୍ତି ଯେ, ଯେତେବେଳେ ମହାମାରୀ ଏକ ଗୋଷ୍ଠୀକୁ ବ୍ୟାପିଯାଏ ସେତେବେଳେ ଯେ କୌଣସି ସମୟରେ ଏହାର ପ୍ରକୋପ ଦେଖିବାକୁ ମିଳିପାରେ । ଏହା ଅନେକ ସ୍ଥାନରେ ଦେଖିବାକୁ ମଧ୍ୟ ମିଳିଛି । ଭାରତରେ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ଦ୍ୱାରା ସଂକ୍ରମଣକୁ ଅନେକ ମାତ୍ରାରେ ରୋକାଯାଇ ପାରିଛି କିନ୍ତୁ ଏବେ ଦେଶରେ ସବୁ କିଛି କୋହଳ ହେଲାଣି। ସାମାଜିକ ତଥା ଅର୍ଥନୈତିକ ଗତିବିଧି ଧୀରେ ଧୀରେ ବଢ଼ିଲାଣି । ଏହା ସହିତ କରୋନା ମାମଲା ଆଗକୁ ହୁ ହୁ ହୋଇ ବଢ଼ିବ। ଲକ୍‌ଡାଉନ୍‌ ଯୋଗୁ ଭାରତରେ ସଂକ୍ରମଣର ଗତି ଧୀମା ହୋଇଥିଲା । କିନ୍ତୁ ଅନ୍ୟ ବଡ଼ ଦେଶଗୁଡିକ ଭଳି ଭାରତରେ ଗତିବିଧି ବଢ଼ିଲାଣି । ଏଭଳି କ୍ଷେତ୍ରରେ ଆଗକୁ ଗଳିକନ୍ଦିରେ, ଏପରିକି ଉପର ମହଲା ତଳ ମହଲାରେ କରୋନା ରୋଗୀ ରହିବେ ବୋଲି ରିଆନ୍‌ କହିଛନ୍ତି ।

ସୂଚନାଯୋଗ୍ୟ, ଭାରତ କୋଭିଡ୍‌-୧୯ ମହାମାରୀ ମାମଲାରେ ଇଟାଲିକୁ ପଛରେ ପକାଇ ବିଶ୍ୱର ଷଷ୍ଠ ଅତି ପ୍ରଭାବିତ ରାଷ୍ଟ୍ର ପାଲଟିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଶନିବାର ଦେଶରେ ସର୍ବୋଚ୍ଚ ଦୈନିକ ସଂକ୍ରମଣ ମାମଲା ଆସିଛି । ଗୋଟିଏ ଦିନରେ ମୋଟ ୯,୮୮୭ ମାମଲା ଆସିଛି । ୨୯୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୩୬,୬୫୭ ଟପିଯାଇଛି । କରୋନା ମୃତ୍ୟୁ ସଂଖ୍ୟା ୬,୬୪୨ ଅତିକ୍ରମ କରିଛି ।

Leave a Reply

Your email address will not be published. Required fields are marked *