ଏଥର ଘରେ ବସି ଦେଖିହେବ କାଳିଆ ସାଆନ୍ତର ସ୍ନାନଯାତ୍ରା, ଦୂରଦର୍ଶନ କରିବ ସିଧାପ୍ରସାରଣ

ଭୁବନେଶ୍ୱର: — ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସାମ୍ନାରେ ଛିଡ଼ା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପାରିବେ ନାହିଁ। ଲୋକଙ୍କୁ ସ୍ନାନଯାତ୍ରା ଦେଖିବାକୁ ହେଲେ ଘରେ ଟିଭି ସାମ୍ନାରେ ବସିବାକୁ ହେବ। ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦୂରଦର୍ଶନ ପ୍ରସାରଣ କରିବ। ଏଥି ସହିତ ଦୂରଦର୍ଶନ ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ସ୍ନାନଯାତ୍ରା ପାଇଁ ସିଗନାଲ ପ୍ରେରଣ କରିବ। ଏହି ସିଗନାଲ GSAT-17 HD1080I DVB S2 MPEG4 ଜରିଆରେ ଦେବ। ଆସନ୍ତାକାଲି ଦୂରଦର୍ଶନ ଏହାର ପରୀକ୍ଷା କରିବ।

ସ୍ନାନଯାତ୍ରାର ସିଧାପ୍ରସାରଣ ପାଇଁ ଏଥର ଘରୋଇ ଟିଭି ଚ୍ୟାନେଲର ଓବି ଭ୍ୟାନ ଶ୍ରୀମନ୍ଦିର ପରିସର ଭିତରକୁ ପ୍ରବେଶ କରିପାରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ ଧାରା ଜାରି କରାଯିବ ବୋଲି ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ସୂଚନା ଦେଇଛନ୍ତି। ତେବେ ଏହି ଧାରା ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ବୋଲି ବଲଓ୍ଵନ୍ତ ସିଂହ କହିଛନ୍ତି।

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ପୁରୀ ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ପର୍ୟ୍ୟନ୍ତ ଲାଗୁ କରାଯିବ । ଏଥିସହିତ ୧୪୪ ଧାରା ଶ୍ରୀମନ୍ଦିର ଚାରିପାଖରେ ବି ଲାଗୁ କରାଯିବ। କରୋନା କଟକଣା ଯୋଗୁଁ ଏଥର ସ୍ନାନବେଦିରେ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ନାହିଁ। ଏପରିକି ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ। ଭକ୍ତମାନେ ଘରେ ଥାଇ ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ।

Leave a Reply

Your email address will not be published. Required fields are marked *