ମୋବାଇଲ୍ ପାଲଟିଛି ଖେଳଣା, ଅନଲାଇ ପାଠପଢାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

ଜଗତସିଂହପୁର :-ନେଟ୍ୱାର୍କ ନାହିଁ ମୋବାଇଲ୍ ପାଲଟିଛି ଖେଳଣା । ସମସ୍ୟାରେ ଘାଂଟି ହେଉଛନ୍ତି ୩୦ ହଜାର ଉପଭୋକ୍ତା । ବାତ୍ୟା ଫନୀର ବର୍ଷେରୁ ଅଧିକ ସମୟ ପରେ ଗାଁରେ ଆସୁନି ନେଟୱର୍କ । ତେଣୁ ମୋବାଇଲରେ କଥା ହେବା କଷ୍ଟକର ହୋଇପଡିଛି । କାଁ ଭାଁ କେତେବେଳେ ଫୋନ ଲାଗୁଛି, ହେଲେ ଠିକ୍ ଭାବରେ କଥା ଶୁଭୁନି । ଏବେ ଏଭଳି ସ୍ଥିତି ହୋଇଛିି ଯେ, ଦାମି ଫୋନ ଖେଳନା ପାଲଟିଛି । ଜଗତସିଂହପୁର ଜିଲ୍ଲା ସମଙ୍ଗ, ସାଦେଇପୁର, ପଳାଶୋଳ, ଅଁଳା, ରାଢ଼ଙ୍ଗ ଭଳି ୬ଟି ପଂଚାୟତର ୩୦ଟି ଗାଁରେ ସମସ୍ୟା ଦେଖାଦେଇଛି । ଏଠାକାର ଉପଭୋକ୍ତାଙ୍କ ପାଇଁ ୯ ବର୍ଷ ତଳେ ସମଙ୍ଗ ଗାଁ ମୁଣ୍ଡରେ ଆମେରିକାନ୍ ଟେଲିକମ୍ କର୍ପୋରେସନ କମ୍ପାନୀ ଏକ ଟାୱାର ବସାଇଛି । ହେଲେ ଫନି ବାତ୍ୟାରେ ଟାୱାରଟି ଭାଙ୍ଗି ଯିବା ପରେ ଅନ୍ୟ ଏକ ସ୍ଥାନରେ ଅସ୍ଥାୟୀ ଭାବେ ଟ୍ରକ୍ ଡାଲାରେ ଟାୱାର କରାଯାଇଛି । ହେଲେ ଫ୍ରିକ୍ୟୁଏନସି କମ୍ ଯୋଗୁଁ ବାରମ୍ବାର କଲ୍ କଟିଯାଉଥିଲା । ଆଉ ଏବେ ବାତ୍ୟା ଅମ୍ଫାନରେ ଅସ୍ଥାୟୀ ଟାୱାରଟି କ୍ଷତିଗ୍ରସ୍ତ ହେବା ପରେ ସମ୍ପୂର୍ଣ୍ଣ ଭାବେ ଟେଲିକମ୍ ସେବା ଠପ୍ ହୋଇଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ କରୋନା କଟକଣା ଯୋଗୁଁ ସ୍କୁଲ କଲେଜ ବନ୍ଦ ଅଛି, ଆଉ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନଲାଇନ୍ ପାଠପଢା ଚାଲିଛି । ହେଲେ ନେଟୱାର୍କ ରହୁନଥିବାରୁ ଜଗତସିଂହପୁର ଜିଲ୍ଲାର ସମଙ୍ଗ, ସାଦେଇପୁର, ପଳାଶୋଳ, ଅଁଳା, ରାଢ଼ଙ୍ଗ ଗାଁର ଛାତ୍ରଛାତ୍ରୀ ଅନ୍ଲାଇନ୍ ପାଠ ପଢ଼ାରୁ ବଚିଂତ ହେଉଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଜଣାଇଲେ ବି ସମସ୍ୟା ସୁଧୁରୁନଥିବାରୁ ଅସନ୍ତୋଷ ବଢୁଛି । ସେପଟେ ଜିଲ୍ଲାପାଳ କହିଛନ୍ତି ଏଥର ସୁରକ୍ଷିତ, ସୁଦୃଢ଼ ଓ ଉଚ୍ଚ ଶକ୍ତି ସମ୍ପୂର୍ଣ୍ଣ ଟାୱାର ନିର୍ମାଣ ପାଇଁ ଏଟିସି ପ୍ରତିଶ୍ରୁତି ଦେଇଛି । ଟେଲିକମ୍ କମିଟି ନିଷ୍ପତ୍ତି ଅନୁସାରେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *