ଗୋପାଳପୁର ସମୁଦ୍ର ବେଳାଭୂମିରେ ବିରଳ ଜେଲିଫିସ୍
ବ୍ରହ୍ମପୁର:-ଗୋପାଳପୁର ସମୁଦ୍ର ବେଳାଭୂମିରେ ବିରଳ ଜୀବ ନେଟ୍ରୋଷ୍ଟୋମା ଜେଲି ଫିସ୍। ଆରବସାଗରରେ ଦେଖାଯାଉଥିବା ଏହି ଜୀବ ଏବେ ବଙ୍ଗୋପସାଗରରେ ଦେଖା ଯାଇଛି। ଏହି ବିରଳ ଜୀବକୁ ଦେଖି ବିଶେଷଜ୍ଞମାନେ ଖୁସି ହୋଇଛନ୍ତି। ତେବେ ବିଶେଷଜ୍ଞଙ୍କ ଅନୁସାରେ ପ୍ରଥମ ଥର ପାଇଁ ଓଡିଶା ଉପକୂଳରେ ଏହିଭଳି ବିରଳ ଜୀବ ଦେଖା ଯାଇଛି।ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ର ଉପକୂଳ ଏବଂ ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତିର ଜୀବ ଦେଖିବାକୁ ମିଳିଛି। ବିଶେଷ କରି ଆରବସାଗରରେ ଦେଖାଯାଉଥିବା ଏହି ବିରଳ ଜୀବ ଏବେ ଓଡିଶା ଉପକୂଳରେ ଦେଖାଯାଇଛି। ଏହି ଜୀବନ ନାଁ ହେଉଛି ନେଟ୍ରୋଷ୍ଟୋମା ଜେଲି ଫିସ୍। ମୁଣ୍ଡ ଉପରେ ଛୋଟ ଛୋଟ କେତେକ ଟ୍ୟୁମର୍ ଭଳି ଗୋଲ୍ ରହିଛି। ଏମାନେ ଛୋଟଛୋଟ ମାଛ, ଗୁଳ୍ମକୁ ଖାଇଥାନ୍ତି। କାହିଁକି ଏମାନେ ଏବେ ଓଡିଶା ଉପକୂଳକୁ ଆସିଲେ ତାହା ଏବେ ଗବେଷଣା କରିବା ଆବଶ୍ୟକ ରହିଛି।ହେଲେ ବିଶେଷଜ୍ଞ ରଖିଛନ୍ତି ଭିନ୍ନ ପ୍ରତିକ୍ରିୟା। ଗ୍ଳୋବାଲ୍ ୱାର୍ମିଂ କାରଣରୁ ଆରବ ସାଗରରୁ ଆସିଥିବା କୁହାଯାଉଛି। କରୋନା ଯୋଗୁଁ ସମୁଦ୍ରରେ ଏବେ ଡଙ୍ଗା ଚାଳନା ଓ ମାଛ ଧରା ବନ୍ଦ ଥିବା ଯୋଗୁଁ ଏମାନଙ୍କ ଆଗମନ ଘଟିଥାଇପାରେ ବୋଲି ଆଉ ଏକ କାରଣ ଦର୍ଶାଇଛନ୍ତି ବିଶେଷଜ୍ଞ। ପରିବେଶ ପରିବର୍ତ୍ତନ ମଧ୍ୟ ଆଉ ଏକ କାରଣ ହୋଇଥାଇପାରେ। ହେଲେ ଏମାନଙ୍କ ଓଡିଶା ଆଗମନ ପରିବେଶ ଉପରେ କେତେ ପ୍ରଭାବ ପକାଇବ ତାହା ଜଣାନାହିଁ।










