ଲକ୍‌ଡାଉନ୍‌ ୫.୦ର ଚାଲିଛି ପ୍ରସ୍ତୁତି ? ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଅମିତ୍ ଶାହା

ନୂଆଦିଲ୍ଲୀ:-ଦେଶରେ ସଂପ୍ରତି ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି, ଯାହା ମେ ୩୧ରେ ଶେଷ ହେବ। ଏହା ମଧ୍ୟରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ  ହୋଇ ଯାଇଛି ଯେ, ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇପାରେ। କିଛି ମିଡିଆ ରିପୋର୍ଟରେ ତ କୁହାଯାଉଛି ଯେ,  ମେ ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍‌ରେ ୫.୦ର ଘୋଷଣା କରି ପାରନ୍ତି। ମାତ୍ର ଗୃହ  ମନ୍ତ୍ରଣାଳୟ ଏହି ପରି ଖବରକୁ ଖଣ୍ଡନ କରିଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରିବାର ଗୋଟିଏ ଦିନ ପରେ ପୁଣି ଥରେ ଲକ୍‌ଡାଉନ୍‌ ୫.୦କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି।

ଖବର ଏହା ଯେ, ଗୃହ ମନ୍ତ୍ରୀ ଅମିତ୍ ଶାହା କରୋନା ଭାଇରସ୍‌ ପ୍ରତିରୋଧ ଲାଗି ଲକ୍‌ଡାଉନ୍‌ ସଂପର୍କରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଏହା ଜାଣିବାକୁ ଚାହିଁଛନ୍ତି ଯେ, ରାଜ୍ୟ ଏହି ବିଷୟରେ କଣ ଚାହୁଁଛି। ଏହା ସହିତ ସେ ସ୍ଥିର କରିବାକୁ ଚାହାନ୍ତି ଯେ, ଯଦି ଲକ୍‌ଡାଉନ୍‌ ୫.୦ ଲାଗୁ ହୁଏ ତେବେ ସେନେଇ ଗାଇଡ୍‌ ଲାଇନ୍‌ କଣ ହେବା ଉଚିତ୍। ଏମିତିରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ତେଣୁ ଆଶା କରାଯାଉଛି ଯେ, ଲକ୍‌ଡାଉନ୍‌ ଅବଧି ବଢାଯାଇପାରେ। କିନ୍ତୁ ପୂର୍ବାପେକ୍ଷା ଆହୁରି କୋହଳ ମିଳିପାରେ।

କୁହାଯାଉଛି ଯେ ଯଦି ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ଲାଗୁ  ହୁଏ ତେବେ ଏହାର ଅବଧି ଦୁଇ ସପ୍ତାହ ହୋଇପାରେ। ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ୧୧ଟି ସହରରେ  ହିଁ କେନ୍ଦ୍ରିତ ହୋଇପାରେ। ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦିଆଯାଇପାରେ। ମାତ୍ର ଏଥିପାଇଁ ନିୟମ ଓ ସର୍ତ୍ତ ଲାଗୁ ହେବ। ଧାର୍ମିକ ସ୍ଥଳରେ କୌଣସି ମେଳା କିମ୍ବା ମହୋତ୍ସବର ଆୟୋଜନ ଲାଗି ଅନୁମତି ମିଳିବ ନାହିଁ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ କଡାକଡି ରହିବ।ଲକ୍‌ଡାଉନ୍‌ ୫.୦ରେ କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ବାକି ସମସ୍ତ ଜୋନ୍‌ରେ ସେଲୁନ ଓ ଜିମ୍ ଖୋଲିବାକୁ ମଧ୍ୟ ଅନୁମତି ମିଳିପାରେ।

Leave a Reply

Your email address will not be published. Required fields are marked *