ହୋମ୍‌ ଡେଲିଭରୀ ବେଳେ ୧୧ ଲକ୍ଷର ଟଙ୍କାର ବ୍ରାଉନସୁଗର ଓ ବନ୍ଧୁକ ଜବତ

ଖୋର୍ଦ୍ଧା :-କଟକ ଅବକାରୀ ଗୁଇନ୍ଦା ବିଭାଗ ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିର ଏସକେ ଫରିଦ୍‌(୨୬)କୁ ଖୋର୍ଦ୍ଧା-ଜଟଣୀ ବାଇପାସ ଛକରୁ ଗିରଫ କରିଛି । ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ନଗଦ ୧୨ ହଜାର ଟଙ୍କା ଏବଂ ୧୦୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ହେବ ବୋଲି କଟକ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଜଗଦୀଶ ସାମଲ ସୂଚନା ଦେଇଛନ୍ତି । ଇନ୍ସପେକ୍ଟର ସାମଲଙ୍କ କହିବା ଅନୁସାରେ, ଗିରଫ ଅଭିଯୁକ୍ତ ଜଣେ ପେସାଦାର ନିଶାବେପାରୀ । ତା ନାମରେ ଖୋର୍ଦ୍ଧା ଅଞ୍ଚଳରେ ମାମଲା ରହିଛି । ୧୫ ଦିନ ତଳେ ଅବକାରୀ ବିଭାଗ ସେ ନିଶା କାରବାରରେ ଜଡ଼ିତ ଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା । ସେ ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗର ହୋମ ଡେଲିଭରୀ କରୁଥିଲା । ଯେଉଁଠି ସ୍ଥାନୀୟ ଲୋକ ପ୍ରତିବାଦ କରୁଥିଲେ ସେଠାରେ ବନ୍ଧୁକ ମୁନରେ ଧମକ ଚମକ ଦେଉଥିଲା ।

ଜଣେ ବିଭାଗୀୟ କର୍ମଚାରୀ ଫୋନ୍‌ରେ ବ୍ରାଊନସୁଗର ହୋମ ଡେଲିଭରୀ ଦେବାକୁ ଫରିଦ୍‌ ସହ ଯୋଗାଯୋଗ କରିଥିଲେ । ଅଭିଯୁକ୍ତ ଫୋନ ପାଇ ପୂର୍ବ ପ୍ରସ୍ତୁତି ଅନୁସାରେ ଛଦ୍ମବେଶରେ ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ଛକରେ ଠିଆ ହୋଇଥିବା ବେଳେ ଅବକାରୀ କର୍ମଚାରୀ ତାକୁ କାବୁ କରିଥିଲେ । ପରେ ଅଭିଯୁକ୍ତକୁ ନେଇ ତା’ର ଜଟଣୀସ୍ଥିତ ମୁଣ୍ଡିଆ ସାହି ବାସଗୃହରେ ବିଭାଗୀୟ ଟିମ୍‌ ଚଢ଼ାଉ କରିଥିଲା । ମାତ୍ର ସେଠାରୁ ଟିମକୁ କିଛି ମିଳି ନଥିଲା । ଘଟଣାରେ ଅବକାରୀ ବିଭାଗ ମାମଲା ରୁଜୁ କରି ଫରିଦ୍‌କୁ ଗିରଫ କରିଥିବା ଇନ୍ସପେକ୍ଟର ସାମଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *