କେନ୍ଦ୍ରୀୟ ମାଧ୍ୟମିକ ପରୀକ୍ଷା ଦେବେ ଫେଲ୍ ଛାତ୍ରଛାତ୍ରୀ, ସୂଚନା ଦେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ
ଭୁବନେଶ୍ୱର:-କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇର ନବମ ଓ ଏକାଦଶର ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଏକ ନୂଆ ସୁଯୋଗ ମିଳିଛି । ସେମାନେ ଅଫ୍ ଲାଇନ୍ କିମ୍ବା ଅନଲାଇନ୍ରେ ପୁଣି ଥରେ ପରୀକ୍ଷା ଦେଇ ପାରିବେ । ଏନେଇ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶଙ୍କ ।
ଡ. ନିଶଙ୍କ ଟୁଇଟ୍ କରି ଜଣାଇଛନ୍ତି ଯେ ବର୍ତ୍ତମାନ କୋଭିଡ୍-୧୯ ପାଇଁ ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ପରିସ୍ଥିତିକୁ ଲକ୍ଷ୍ୟ କରି ସିବିଏସ୍ଇର ନବମ ଓ ଏକାଦଶର ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଏକ ନୂଆ ସୁଯୋଗ ଦେବାକୁ ସେ କହିଛନ୍ତି । ସେହିପରି ପୁନଃ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ସମୟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଅପରପକ୍ଷେ ସିବିଏସଇ ପରୀକ୍ଷା ନିୟନ୍ତକ ଡ. ସାନ୍ୟମ୍ ଭରଦ୍ୱାଜ ମଧ୍ୟ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ସାରା ଦେଶ କୋଭିଡ୍-୧୯ ପାଇଁ ଏକ ଆହ୍ୱାନ ଦେଇ ଗତି କରୁଛି । ତେଣୁ ଛାତ୍ରଛାତ୍ରୀମାନେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ସେମାନେ ମାନସିକ ଚାପରେ ରହୁଛନ୍ତି । ବହୁ ଅଭିଭାବକ ଦରମା ପାଉନଥିବାରୁ ଚିନ୍ତାରେ ରହିଛନ୍ତି ।ଏଭଳି ଚିନ୍ତାଜନକ ସ୍ଥିତି ବେଳେ ଛାତ୍ରଛାତ୍ରୀମାନଙ୍କୁ ଆଉ ଥରେ ସୁଯୋଗ ଦେବା ଆବଶ୍ୟକ । ତେଣୁ ସିବିଏସ୍ଇକୁ ବହୁ ଅଭିଭାବକଙ୍କ ଅନୁରୋଧ ପରେ ନବମ ଓ ଏକାଦଶର ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଏକ ନୂଆ ସୁଯୋଗ ଦିଆଯାଉଛି । ସ୍କୁଲଗୁଡିକ ଅନଲାଇନ୍ କିମ୍ବା ଅଫଲାଇନ୍ରେ ପରୀକ୍ଷା କରିପାରିବେ । ସମସ୍ତ ବିଷୟର ପରୀକ୍ଷା ହେବ । ତେବେ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଯଦି କୌଣସି ସୁଯୋଗ ଦିଆଯାଇଥିବ, ତଥାପି ଆଉ ଥରେ ପରୀକ୍ଷା କରିବାକୁ ପଡିବ ବୋଲି ଡ. ଭରଦ୍ୱାଜ କହିଛନ୍ତି ।