ଗୁରୁବାରଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍
ଭୁବନେଶ୍ବର:-ଆସନ୍ତା ଗୁରୁବାରଠାରୁ ରାଜ୍ୟରେ ଘରୋଇ ବସ୍ ଚାଲିବ ବୋଲି ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମୋ ବସ ଗଡ଼ିବା ପରେ ରାଜ୍ୟ ଘରୋଇ ମାଲିକ ସଂଘ ବୁଧବାର ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ଘରୋଇ ବସ୍ ମାଲିକଙ୍କୁ ବଡ ଆଶ୍ୱସ୍ତି ମଧ୍ୟ ମିଳିଛି। ପରିବହନ ବିଭାଗ ତରଫରୁ ୩ ମାସ ପାଇଁ ବସର ରୋଡ୍ ଟ୍ୟାକ୍ସ୍ ଛାଡ କରାଯାଇଛି । ଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ରୋଡ୍ ଟ୍ୟାକ୍ସ୍ ଛାଡ କରିଛି ପରିବହନ ବିଭାଗ ।
ମଙ୍ଗଳବାର ଘରୋଇ ବସ ମାଲିକ ସଙ୍ଘ ଓ ପରିବହନ ବିଭାଗ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଟ୍ୟାକ୍ସ୍ ଛାଡ ବାବଦରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟ ସରକାର ବସ୍ ଚଳାଚଳ ପାଇଁ ଗ୍ରୀନ୍ ସିଗ୍ଲାଲ୍ ପ୍ରଦାନ କରିଥିଲେ । ତେବେ କେତେକ ଦାବି ଧରି ଅଡି ବସିଥିଲା ଘରୋଇ ବସ ମାଲିକ ସଙ୍ଘ । ଫଳରେ ରାଜ୍ୟ ସରକାରଙ୍କ ଘୋଷଣା ପରେ ବି ଘରୋଇ ବସ୍ ଚଳାଚଳ କରିପାରି ନଥିଲା । ସଙ୍ଘ ପକ୍ଷରୁ ରୋଡ୍ ଟ୍ୟାକ୍ସ୍ ଛାଡ ଦାବି ଉପସ୍ଥାପନା କରାଯାଇଥିଲା ।
ସେହିପରି ୨୬ ତାରିଖଠୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋ ବସ୍ ଚଳାଳଚ ଆରମ୍ଭ ହୋଇଯାଇଛି । ଏହା ପ୍ରଥମେ ୭ଟି ରୁଟରେ ଚଳାଚଳ କରିବ ବୋଲି ପୂର୍ବ ସୂଚନା ଦିଆଯାଇଥିଲା।










