ଆଗାମୀ ୧୫ ଦିନରୁ ମାସେ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:–ଆଗାମୀ ୧୫ଦିନରୁ ମାସେ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ଚେତେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କୋଭିଡ ମୁକାବିଲାର ସମୀକ୍ଷା ବୈଠକ ପରେ ସେ କହିଛନ୍ତି, ଲକଡାଉନର ପ୍ରାୟ ଦୁଇ ମାସ ପରେ ଏବେ ବିମାନ ଏବଂ ରେଳ ସେବା ଆରମ୍ଭ ହୋଇଥିବାରୁ, ରାଜ୍ୟରେ କରୋନା ସକ୍ରମଣ ବଢିବା ଆଶଙ୍କା ଅଧିକ । ସେପଟେ ମୁଖ୍ୟ ଶାସନ ସଚିବ କହିଛନ୍ତି ଓଡ଼ିଶାର କରୋନା ମୁକାବିଲା କାହାଣୀ ଏବେ ଚାରିଆଡ଼େ ଉଦାହରଣ ହୋଇଛି।

୧୦୯ ଶ୍ରମିକ ଏକ୍ସପ୍ରେସରେ ଆସିଛନ୍ତି ଦେଢ଼ଲକ୍ଷରୁ ଅଧିକ। ସେମିତି ବସ୍‌ରେ ବି ଆସୁଛନ୍ତି ଆଉ ଏବେ ବିମାନ ରେଳ ଚଳାଚଳ ସ୍ବାଭାବିକ ହେଲେ ଆହୁରି ଲୋକ ଆସିବେ। ତେଣୁ ଆଗାମୀ ମାସେ ହିଁ ରାଜ୍ୟ ପାଇଁ ଭାରି ଗୁରୁତ୍ବପୂର୍ଣ୍ଣ ।  ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟର ବରିଷ୍ଠ ପ୍ରଶାସନିକ  ଅଧିକାରୀମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା ପରେ ଏମିତି କହିଛନ୍ତି ମୁଖ୍ୟାମନ୍ତ୍ରୀ  ନବୀନ ପଟ୍ଟନାୟକ । ଗୃହ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ ପରେ ଏବେ ଶ୍ରମିକ ଏକ୍ସପ୍ରେସରେ କେତେ ସଂଖ୍ୟାରେ ଆସୁଛନ୍ତି କିଛି ଜଣା ପଡୁନାହିଁ। ତେଣୁ ସମସ୍ୟା ଆହୁରି ଜଟିଳ ହେଉଛି।

ଦୁଇମାସର ଲକଡାଉନ ସମୟରେ ଆମକୁ ବୈଜ୍ଞାନିକ, ସାମାଜିକ ଓ ପ୍ରଶାସନିକ ସ୍ତରରେ ଅନେକ ଉପଲବ୍ଧି  ମିଳିଛି । ଯାହାକୁ ଆଧାର କରି ଆମକୁ ଆଗାମୀ ରଣକୌଶଳ ପୁନଃନିର୍ଦ୍ଧାରଣ କରିବାକୁ ପଡିବ ବୋଲି  ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଆଶ୍ବସ୍ତିର କଥା  ଓଡିଶାରେ  ଆଜି ସୁଦ୍ଧା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ କ୍ବାରେଣ୍ଟିନ୍ ସେଣ୍ଟରରୁ ରିପୋର୍ଟ ହୋଇଛନ୍ତି  । ତେଣୁ, ଏହା ଗୋଷ୍ଠୀ ସଂକ୍ରମଣ ସ୍ଥିତିକୁ ଯାଇନାହିଁ । ଆମେ ସଜାଗ ହେଲେ, କରୋନା ବିରୋଧ ଲଢେଇରେ ନିଶ୍ଚିତ ସଫଳ ହେବା ବୋଲି ଆଶା ବ୍ୟକ୍ତ କରିଛନ୍ଚି ରାଜ୍ୟ ସରକାର ।

କରୋନା ମୁକାବିଲା ପାଇଁ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ବିପକ୍ଷ ଲଢେଇରେ ଆମେ ସରକାର ସ୍ବତନ୍ତ୍ର ରଣନୀତି ଆପଣାଇଛୁ। ଆଇସିଏମଆର ସୁପାରିସକୁ ଧ୍ୟାନରେ ରଖି ନମୁନା ପରୀକ୍ଷଣ ଏବଂ ସାମାଜିକ ଦୁରତାକୁ ଗୁରୁତ୍ବ ଦେଇଛୁ । ଏହି ମହାସଂଗ୍ରାମରେ ଆମ ସରପଞ୍ଚ, ଲୋକ ପ୍ରତିନିଧୀଙ୍କଠୁ ଆରମ୍ଭ କରି ସରକାରୀ କର୍ମଚାରୀମାନେ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ଜନସାଧାରଣ ମଧ୍ୟ ସହଯୋଗ କରିଛନ୍ତି।

ବିଶେଶକରି ରାଜ୍ୟ ସରକାର କରୋନାର ସଠିକ ମୁକାବିଲା ପାଇଁ  ଟେଷ୍ଟିଂ, କ୍ବାରାଣ୍ଟାଇନ ଏବଂ ଡିସଚାର୍ଜ ପାଇଁ ଯେଉଂ ନୀତି ଆପଣାଇଛନ୍ତି ତାହା ସଫଳ ହୋଇଥିବାରୁ ରାଜ୍ୟକୁ ଲାଭ ମିଳିଛି । ଓଡିଶାରେ ୯୦ ପ୍ରତିଶତ କରୋନା କେସ୍ ଲକ୍ଷଣ ବିହିନ । ତାପରେ ବି ରାଜ୍ୟରେ କରୋନା ଟେଷ୍ଟିଂ ହାର ଜାତୀୟ ହାରଠୁ ଅଧିକ ଥିବାରୁ ଆମେ ସଫଳତାର ସହ କରୋନା ରୋଗିଙ୍କୁ ଚିହ୍ନଟ ସହ ସେମାନଙ୍କୁ ଚିକିତ୍ସା କରି ଭଲ କରିପାରୁଛୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହା ଭିତରେ ଲକ୍ଷେ ଲୋକ କ୍ବାରାଣଅଟାନ କେନ୍ଦ୍ରରୁ ଡିସଚାର୍ଜ ହୋଇ ଘରକୁ ଫେରିଲେଣଇ ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।  ଆଗକୁ ପଞ୍ଚାୟତ ସ୍ତରରେ ଗ୍ରୀନ,ଅରେଞ୍ଜ ଓ ରେଡ୍ ଜୋନ୍ ବାବଦରେ ନିସ୍ପତି ନିଆଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

Leave a Reply

Your email address will not be published. Required fields are marked *