୫-ଟି ସଚିବ ପାଣ୍ଡିଆନ୍‌ଙ୍କ ଶ୍ୱଶୁରଙ୍କ ପରଲୋକ

ଭୁବନେଶ୍ୱର :- ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ପିତା ତଥା ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଶ୍ୱଶୁର ଡା. ଅକ୍ଷୟ କୁମାର ରାଉତଙ୍କ ପରଲୋକ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ନାୟୁଗତ ରୋଗ ପାଇଁ ତାଙ୍କର ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲା । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

ଡା. ରାଉତ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ଗ୍ରାମରେ ୧୯୫୦ ମସିହା ଫେବ୍ରୁଆରୀ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୨ ମସିହାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ୍‌ରୁ ଡାକ୍ତରୀ ପାସ୍‌ କରିଥିଲେ । ତାଙ୍କ ପତ୍ନୀ ହେଉଛନ୍ତି ପୁଷ୍ପା ରାଉତ । ତାଙ୍କର ତିନି ଝିଅ ସୁଜାତା କାର୍ତ୍ତିକେୟନ୍‌, ସୁସ୍ମିତା ରାଉତ ଓ ସୁଚିତ୍ରା ରାଉତ । ସୁସ୍ମିତା ଜଣେ ପ୍ରାଣୀ ଚିକିତ୍ସକ ଓ ସୁଚିତ୍ରା ଜଣେ ମ୍ୟାନେଜମେଣ୍ଟ ପେଷାଦାର । ସୁଚିତ୍ରା ଓ ସୁସ୍ମିତା ବିଦେଶରେ ରହୁଛନ୍ତି । ଜାମସେଦପୁର ଟାଟାନଗର ଅଞ୍ଚଳରେ ଶିଶୁ ଚିକିତ୍ସିକ ଭାବେ ଡା. ରାଉତ ବେଶ୍‌ ପରିଚିତ ଥିଲେ । ଗରିବ ପିଲାମାନଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ । ଟାଟା ହସ୍ପିଟାଲରୁ ସ୍ୱେଚ୍ଛାକୃତ ଅବସର ପରେ ସେ ଜାମସେଦପୁରରେ ପତ୍ନୀଙ୍କ ନାମରେ କ୍ଲିନିକ୍‌ ଖୋଲି ଚିକିତ୍ସା ସେବା ଜାରି ରଖିଥିଲେ ।

ଡା. ରାଉତଙ୍କ ବିୟୋଗରେ ସୋଆ ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଡ. ନାୟକ ଏକ ଶୋକବାର୍ତ୍ତାରେ କହିଛନ୍ତି, ଅକ୍ଷୟ ଭାଇ ଆମ ଅଞ୍ଚଳର ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସବୁବେଳେ ଜଣେ ସାଧାରଣ ଗାଉଁଲି ଲୋକ ଭଳି ବ୍ୟବହାର କରୁଥିଲେ । ତାଙ୍କ ସହ ମୋର ଦୀର୍ଘ ଦିନର ବନ୍ଧୁତା ଥିଲା । ବଡ଼ ଭାଇ ଭଳି ସେ ସବୁବେଳେ ମାର୍ଗଦର୍ଶନ କରୁଥିଲେ । ଆମ ଗାଁ ବଲୁରିଆ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ତାଙ୍କର ଅହେତୁକ ଭଲ ପାଇବା ଥିଲା । ଯେଉଁଠି ଥିଲେ ବି ସେ ଅଞ୍ଚଳର ଭଲ ମନ୍ଦ କଥା ବୁଝୁଥିଲେ । ତାଙ୍କ ବିୟୋଗରେ ଆମ ଜିଲ୍ଲା ଜଣେ ଦରଦୀ ମଣିଷଙ୍କୁ ହରାଇଲା ।

Leave a Reply

Your email address will not be published. Required fields are marked *