୧୦ଦିନ ଡେରିରେ ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର:- ଏଥର ଓଡ଼ିଶାକୁ ମୌସୁମୀ ଆଗମନ ୧୦ ଦିନରୁ ଅଧିକ ଡେରି ହୋଇପାରେ । ସମ୍ଭବତଃ ଜୁନ୍‌ ୨୦ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁପାରେ । ବର୍ତ୍ତମାନ ଓ ସମ୍ଭାବ୍ୟ ସ୍ଥିତିକୁ ନେଇ ଏଭଳି ପୂର୍ବାନୁମାନ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ଯଦି ଏମିତି ହୁଏ, ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆଞ୍ଚଳିକ ସ୍ୱତନ୍ତ୍ର ପାଣିପାଗ କେନ୍ଦ୍ର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ଜେନାମଣିଙ୍କ ଆକଳନ ହେଲା, ଆରବ ସାଗରରେ କେରଳ ଉପକୂଳ ପାଖରେ ଜୁନ୍‌ ପ୍ରଥମ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ପରିଲକ୍ଷିତ ହୋଇଛି । ଏହା ପ୍ରଭାବରେ ଜୁନ୍‌ ପ୍ରଥମ ସପ୍ତାହରେ କେରଳରେ ବର୍ଷା ସମ୍ଭାବନା ଅଛି । ଅନୁମାନ କରାଯାଉଛି, ଏହା ଦକ୍ଷିଣ ପଶ୍ଚିମ ମୌସୁମୀକୁ ଅଗ୍ରଗତି କରିବାରେ ସହାୟକ ହେବ । ତେଣୁ ଜୁନ୍‌ ୧ରୁ ୫ ତାରିଖ ମଧ୍ୟରେ ମୌସୁମୀ କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ମୌସୁମୀ ଆଗମନ ଏବେ ଅନିଶ୍ଚିତତାରେ ରହିଛି । ଆସନ୍ତା ଜୁନ୍‌ ୧୨ ତାରିଖ ଆଗରୁ ମୌସୁମୀ କେରଳ ଉପକୂଳ ଛୁଇଁଲା ଭଳି ଲାଗୁନି । କେରଳରେ ଏବେ କିଛି କିଛି ବର୍ଷା ହେଉଛି । ହେଲେ ମୌସୁମୀ ପ୍ରବେଶ କରିବା ଲକ୍ଷଣ ନାହିଁ । ମୌସୁମୀ ଆଗମନ ଘୋଷଣା ପାଇଁ ୪୮ ଘଣ୍ଟା ଧରି ୬୦% ପାଣିପାଗ ଷ୍ଟେସନରେ ଦିନକୁ ଅଢ଼େଇ ମିଲିମିଟର ବର୍ଷା ହେବା ଦରକାର । ମାତ୍ର ସେଭଳି ବର୍ଷା ଏବେ ନାହିଁ । ଆସନ୍ତା ୨୭-୨୮ବେଳକୁକିଛି ବର୍ଷା ହୋଇପାରେ । ମାତ୍ର ମୌସୁମୀ ବର୍ଷାର ପରିମାଣଠାରୁ ଏହା କମ୍‌ ରହିବ ।

Leave a Reply

Your email address will not be published. Required fields are marked *