ସଙ୍କଟରେ ଯାତ୍ରା କଳାକାର, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା
ଭୁବନେଶ୍ୱର:-ଲକ୍ଡାଉନ୍ରେ ଘରେ ବସି ନାହିଁ ନଥିବା ହିନସ୍ଥା ହେଉଛନ୍ତି ଯାତ୍ରା କଳାକାର । ସରକାର ସମସ୍ତଙ୍କ ପାଇଁ ସବୁକିଛି କରୁଥିଲା ବେଳେ ଯାତ୍ରାକୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ନବୀନ ନିବାସ ଯାଇଥିଲେ ଯାତ୍ରା କଳାକାର । ଏହି ଅବସରରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଊଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯାତ୍ରା କଥା ବିଚାର କରି ସହାୟତା ପ୍ରଦାନ କରିବାକୁ କଳାକାରମାନେ ନିବେଦନ କରିଛନ୍ତି । ପରେ କଳାକାରମାନେ ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ବିଷ୍ଣୁ ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ମଙ୍ଗଳବାର ଦିନ ଏହି ବିଷୟରେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସାଂସଦ ସୁଜିତ କୁମାରଙ୍କ ସହିତ ଆଲୋଚନା ହେବ ବୋଲି ସଂଘର ସମ୍ପାଦକ ରମେଶ ଚନ୍ଦ୍ର ନାୟକ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି ।
ସମ୍ପାଦକ ଶ୍ରୀ ନାୟକ କହିଛନ୍ତି, ବର୍ଷ ସାରା ରାଜ୍ୟର କୋଣ ଅନୁକୋଣରେ ଯାତ୍ରା ପରିବେଷଣ କରି ଲୋକମାନଙ୍କୁ ମନୋରଞ୍ଜନ କରି ଆସିଛୁ । ବର୍ତ୍ତମାନ କରୋନା କଟକଣା ଯୋଗୁ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତ୍ରା ବନ୍ଦ କଲେ । ଫଳରେ ପ୍ରଯୋଜକ ଓ ପରିଚାଳକମାନେ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯେଉଁଥିପାଇଁ ସେମାନେ କଳାକାରଙ୍କୁ ବେତନ ଦେବାକୁ ସକ୍ଷମ ନାହାନ୍ତି । ଏଣୁ ୬୫ଟି ଯାତ୍ରା ପାର୍ଟିର ସମସ୍ତ କଳାକାର ଓ କର୍ମଚାରୀ ଓ ପାଖାପାଖି ୧୦ହଜାର ପରିବାରର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିଛି । ଫଳରେ ସମସ୍ତେ ଭୋକ ଓପାସରେ କାଳ କାଟୁଛନ୍ତି । କଳାକାର, ଟେକ୍ନିସିଆନମାନେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହୋଇନଥିବାରୁ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ବର୍ତ୍ତମାନ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡ଼ିଶାରେ ୧୦ହଜାର କଳାକାର ଓ କର୍ମଚାରୀ ଅଛନ୍ତି । ସରକାର ସେମାନଙ୍କୁ ସହାୟତା ଦିଅନ୍ତୁ, ଯେବେଠାରୁ କ୍ରୀଡ଼ା, ସଭା ଓ ଅଧିକ ଲୋକ ଯୋଗ ଦେଉଥିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିମନ୍ତେ ଅନୁମତି ଦିଆଯିବ ସେବେଠାରୁ ଯାତ୍ରା ପରିବେଷଣ ଲାଗି ଅନୁମତି ଦିଆଯାଉ । ଯାତ୍ରା ପ୍ରଯୋଜକମାନଙ୍କୁ ସବ୍ସିଡିରେ ଲୋନ୍ ପ୍ରଦାନ କରାଯାଉ । ଯାତ୍ରା କଳାକୁ ଲୋକକଳାର ମାନ୍ୟତା ଦିଆଯାଉ । ପୂର୍ବରୁ ସରକାରଙ୍କୁ ଦିଆଯାଇଥିବା ୧୨ଦଫା ଦାବି ମଧ୍ୟରୁ ୯ଟି ଦାବି ଉପରେ ସରକାର ଆଲୋଚନା କରିବା ନିମନ୍ତେ ପ୍ରସ୍ତୁତ ଥିଲେ । ସେଗୁଡ଼ିକର ଯଥାଶୀଘ୍ର ଆଲୋଚନା କରାଯାଇ ସମାଧାନ କରାଯାଉ ।










