ଟ୍ରେନ୍ ଚେନ୍ ପୁଲିଂକରି ଓହ୍ଲାଇଲେ ୫୭୫ ପ୍ରବାସୀ ଶ୍ରମିକ
ନୂଆଗାଁ:-ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନ୍ରେ ୨୫୫ଜଣ ଶ୍ରମିକ ଓହ୍ଲାଇଥିବା ବେଳେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇଛନ୍ତି ୩୨୦ଜଣ । ପ୍ରବାସୀ ଶ୍ରମିକଙ୍କୁ ନେଇ ମହାରାଷ୍ଟ୍ର କୋହ୍ଲାପୁରରୁ ଆସୁଥିବା ଟ୍ରେନ୍ ବିଭିନ୍ନ ରେଳ ଷ୍ଟେସନରେ ଅଟକି ନଥିଲା । ଟ୍ରେନ୍ଟି ଝାଡ଼ଖଣ୍ଡ ଆଡକୁ ଯାଉଥିବା ଜାଣି ପ୍ରବାସୀ ମାନେ ସୋମବାର ମଧ୍ୟାହ୍ନରେ ନୂଆଗାଁ ରେଳ ଷ୍ଟେସନ୍ରେ ଚେନ୍ ଟାଣି ଟ୍ରେନ୍କୁ ଅଟକାଇ ସେଠାରେ ଓହ୍ଲାଇ ପଡ଼ିଥିଲେ । ସେହିପରି ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଗାନ୍ଧିଧାମ ଟ୍ରେନଟି କଟକ ଜିଲ୍ଲା ନିର୍ଗୁଣ୍ଡି ରେଳଷ୍ଟେସନରେ ଅଟକିବା ପୂର୍ବରୁ ଧାର୍ଯ୍ୟ ହୋଇଥିଲେ ବି ନଅଟକିବାରୁ କଣ୍ଟାବାଞ୍ଜି ଷ୍ଟେସନରେ ଚେନ୍ ପୁଲିଂ କରି ଶ୍ରମିକମାନେ ଓହ୍ଲାଇ ପଡ଼ିଥିଲେ । ଯଦିଓ ଏହି ଷ୍ଟେସନରେ ଟ୍ରେନ ଛିଡ଼ା ହେବା ପାଇଁ ପୂର୍ବରୁ ସ୍ଥିର ହୋଇ ନ ଥିଲା ।
ଦୁଇ ଦିନ ପୂର୍ବରୁ କୋହ୍ଲାପୁର ରେଳ ଷ୍ଟେସନ୍ରୁ ଏକ ଶ୍ରମିକ ଟ୍ରେନ୍ରେ ପ୍ରବାସୀ ଶ୍ରମିକମାନେ ଫେରୁଥିଲେ । ବରଗଡ଼ ଜିଲ୍ଲାର ୧୧, ବଲାଙ୍ଗିର ୨୩, ଗଞ୍ଜାମ ୮, ଅନୁଗୁଳ ୨୨, ନୟାଗଡ଼ ୨, କଟକ ୧୨, କଳାହାଣ୍ଡି ୩, ଢ଼େଙ୍କାନାଳ ୯, ଜଗତସିଂହପୁର ୨୧, ଯାଜପୁର ୪, ବାଲେଶ୍ୱର ୭, ଭଦ୍ରକ ୪୧, ପୁରୀ ୨୭, ନୂଆପଡ଼ା ୧୭, ସୁନ୍ଦରଗଡ଼ ୫, ମୟୁରଭଞ୍ଜ ୩, ସମ୍ବଲପୁର ୫, କେଉଁଝର ୨ ଓ କେନ୍ଦ୍ରପଡ଼ା ଜିଲ୍ଲାର ୩୩ ଜଣଙ୍କୁ ମିଶାଇ ମୋଟ ୨୫୫ ଜଣ ଶ୍ରମିକ ନୂଆଗାଁ ରେଳ ଷ୍ଟେସନ୍ରେ ଓହ୍ଲାଇ ପଡ଼ିଥିଲେ । ଏମାନଙ୍କ ସହିତ ଝାଡ଼ଖଣ୍ଡ ରାଜ୍ୟର କେତେକ ଶ୍ରମିକ ଥିଲେ । ଏହି ପ୍ରବାସୀ ଶ୍ରମିକଙ୍କ କହିବା କଥା ହେଲା କୌଣସି ଷ୍ଟେସନ୍ରେ ଶ୍ରମିକମାନଙ୍କୁ ଓହ୍ଲାଇବାକୁ ଦିଆଯାଉନଥିବାରୁ ସେମାନେ ବାଧ୍ୟ ହୋଇ ନୂଆଗାଁ ରେଳ ଷ୍ଟେସନ୍ରେ ଚେନ୍ ପୁଲିଂ କରିଥିଲେ ।
କାରଣ ଟ୍ରେନ୍ଟି ଝାଡଖଣ୍ଡ ଆଡ଼କୁ ଯାଉଥିଲା । ଖବର ପାଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ନୂଆଗାଁ ବ୍ଲକ ବିଡିଓ ମାଧବ ଚନ୍ଦ୍ର ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ମଖଲୁ ଏକ୍କା, ଆରଟିଓ କର୍ମଚାରୀ, ବିଜେଡି ବ୍ଲକ ସଭାପତି ଦିଗାମ୍ବର ଦାସ, ପ୍ରଦୀପ ସାହୁ, ଅଶୋକ ସାହୁ ଓ ମିଟୁକୁ ସାହୁ ରେଳ ଷ୍ଟେସନ୍ରେ ପହଞ୍ଚି ଶ୍ରମିକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିଥିଲେ । ବିଧାୟକ ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ ୬ଟି ବସ୍ ଯୋଗେ ଏହି ଶ୍ରମିକମାନଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଯିବାର ବ୍ୟବସ୍ଥା କରାଯିବା ସହ ସୁନ୍ଦରଗଡ଼ର ୫ ଜଣ ପ୍ରବାସୀ ଶ୍ରମିକଙ୍କୁ ବୋଲେରୋ ଯୋଗେ ପଠାଯାଇଥିଲା । ଏହି ଟ୍ରେନ୍ରେ ୧ ହଜାରରୁ ଅଧିକ ଶ୍ରମିକ ଥିବା କୁହାଯାଉଛି ।










