ପୋଲିସ ଗାଡିରେ ଶିଶୁକନ୍ୟାକୁ ଜନ୍ମଦେଲେ ପ୍ରବାସୀ ମହିଳା

ଝାରସୁଗୁଡା:-ପୋଲିସ ଗାଡ଼ିରେ ଶିଶୁକନ୍ୟା ଜନ୍ମଦେଲେ ପ୍ରବାସୀ ମହିଳା। ଧାଇ ସାଜିଲେ ମହିଳା ପୋଲିସ ଅଧିକାରୀ । ପ୍ରବାସୀଙ୍କଠାରୁ ସମସ୍ତେ ଦୂରେଇ ରହିବା ସହ ସେମାନଙ୍କ କ୍ବାରେଣ୍ଟାଇନ ବ୍ୟବସ୍ଥା ରହିଥିଲେ ମଧ୍ୟ ଜଣେ ମହିଳାଙ୍କ ପ୍ରସବ ବେଦନା ସହି ପାରିନଥିଲେ ଝାରସୁଗୁଡା ଥାନା ଆଇଆଇସି ସାବିତ୍ରୀ ବଳ। ଶେଷରେ ସେ କୋଭିଡ ଭୟ ତ୍ୟାଗ କରିବା ସହ ସାମାଜିକ ଦୂରତା କଥା ମଧ୍ୟ ଭୂଲି ଯାଇଥିଲେ ।

ହାଇଦ୍ରାବାଦରୁ ଶ୍ରମିକ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନରେ ବିହାରର ଦାନାପୁର ଯାଉଥିବାବେଳେ ବାଟରେ ଗର୍ଭ ଯନ୍ତ୍ରଣା ଅନୁଭବ କଲେ ମହିଳା। ମହିଳାଙ୍କ କଷ୍ଟ ଜାଣିବା ପରେ ଝାରସୁଗୁଡା ରେଳ ଷ୍ଟେସନରେ ଅଟକିଲା ଟ୍ରେନ। ଝାରସୁଗୁଡା ଷ୍ଟେସନରେ ଷ୍ଟପେଜ୍ ନଥିବା ସତ୍ତ୍ୱେ ଟ୍ରେନକୁ ଅଟକାଇବାକୁ ପଡିଥିଲା।ପୂର୍ବସୂଚନା ପାଇ ପ୍ରସ୍ତୁତ ଥିବା ପୋଲିସ ଆମ୍ବୁଲାନ୍ସ ପହଞ୍ଚିବା ଡେରି ହେବାରୁ ଝାରସୁଗୁଡା ଥାନା ଆଇଆଇସି ପୋଲିସ ପିସିଆର ଗାଡିରେ ମହିଳାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ଶିଶୁକନ୍ୟା ଜନ୍ମଦେଲେ ସମ୍ପୃକ୍ତ ମହିଳା। ପୋଲିସ ଉଭୟ ମା ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି। ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *