ଆର୍ଥିକ ସଙ୍କଟ ପାଇଁ ଆତ୍ମହତ୍ୟା କଲେ ପ୍ରବାସୀ,କୂଅରୁ ମିଳିଲା ୯ ପ୍ରବାସୀ ଶ୍ରମିକଙ୍କ ମୃତଦେହ

ତେଲେଙ୍ଗାନା:-କୂଅରୁ ମିଳିଲା ୯ ଜଣଙ୍କର ମୃତ ଦେହ ।ତେଲେଙ୍ଗାନାର ୱାରଙ୍ଗଲ୍‌ ଗ୍ରାମୀଣ ଜିଲ୍ଲାରେ ୯ ଜଣ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଏକ କୂଅରୁ ମିଳିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି । ଗୋଟିଏ ପରିବାରର ୬ ଜଣଙ୍କ ସମେତ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତେ ପ୍ରବାସୀ ଶ୍ରମିକ ବୋଲି ପୁଲିସ ସ୍ପଷ୍ଟ କରିଥିବା ବେଳେ ମାମଲାର ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। ମୃତକଙ୍କ ମଧ୍ୟରୁ ୬ ଜଣ ପରିବାର ସଦସ୍ୟ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ମଧ୍ୟରୁ ୨ ଜଣ ବିହାରର ଏବଂ ଜଣେ ତ୍ରିପୁରାର । ଗତ ୪୮ ଘଣ୍ଟା ମଧ୍ୟରେ ଏହି ଘଟଣା ଘଟିଛି। ପୁଲିସ ପ୍ରଥମେ ଗୁରୁବାର ଦିନ କୂଅ ମଧ୍ୟରୁ ୪ ଜଣଙ୍କ ମୃ‌ତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ୫ ଜଣଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରିଥିଲା । ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡ଼ିନି ।ମୃତକମାନଙ୍କ ମଧ୍ୟରୁ ୭ ଜଣ ଗୋରେକୁଣ୍ଟା ଶିଳ୍ପାଞ୍ଚଳରେ ଏକ ବ୍ୟାଗ୍‌ ଉତ୍ପାଦନ ମିଲ୍‌ରେ କାମ କରୁଥିଲେ । ତେବେ ୱାରଙ୍ଗାଲ୍‌ ପୁଲିସ କମିସନରଙ୍କ କହିବା ଅନୁଯାୟୀ ମିଲ୍‌ ମାଲିକ ପ୍ରଥମେ ଜିସୁଗୋ‌ଣ୍ଡା ଥାନାରେ ତାଙ୍କ କର୍ମଚାରୀମାନେ ନିଖୋଜ ଥିବା ନେଇ ଖବର ଦେଇଥିଲେ । ପରେ ସେ ପୁଣି ପୁଲିସରେ ଖବର ଦେଇଥିଲେ ଯେ, ୪ ଜଣଙ୍କ ମୃତଦେହ ମିଲ୍‌ ନିକଟସ୍ଥ ଏକ କୂଅରୁ ମିଳିଛି। ସୂଚନା ପାଇ ପୁଲିସ ପ୍ରଥମେ ଗୁରୁବାର ଦିନ ୪ ଜଣଙ୍କ ମୃତଦେହ କୂଅରୁ ଉଦ୍ଧାର କରିଥିଲା। ଏହାର ପରଦିନ କୂଅରୁ ପାଣି ଶୁଖାଯିବା ସମୟ‌ରେ ପୁଣି ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।ଆର୍ଥିକ ସଙ୍କଟ ଯୋଗୁଁ ଉକ୍ତ ପ୍ରବାସୀ ଶ୍ରମିକମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଜଣାଯାଇଛି ‌ଯେ, ସମସ୍ତ ମୃତକମାନେ ବୁଧବାର ଦିନ ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥ‌ିଲେ। ସମସ୍ତ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌ ପଠାଯାଇଛି।

Leave a Reply

Your email address will not be published. Required fields are marked *