ଲୋକାଭିମୁଖୀ ଶାସନ ପାଇଁ ସରକାରଙ୍କ ଭରସା ଟେକ୍ନୋଲୋଜି
ଭୁବନେଶ୍ବର:- ଜନତା ମତ ଦେବେ, କାର୍ଯ୍ୟକାରୀ କରିବେ ସରକାର। ଲୋକଙ୍କ ସରକାର ଆଭିମୁଖ୍ୟକୁ ଆହୁରି କ୍ରିୟାଶୀଳ କରିବା ଏବଂ ଜନମତକୁ ଅଧିକ ଗୁରୁତ୍ବ ଦେବା ଉଦ୍ଧେଶ୍ୟରେ ସରକାର ଆଧୁନିକ ଜ୍ଞାନକୌଶଳ ଆଧାରିତ ପଦକ୍ଷେପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ହେଉ ଅବା ଜନତାଙ୍କ ଆପତ୍ତି ଅଭିଯୋଗ, ସବୁ ପାଇଁ ସମାଧାନର ପନ୍ଥା ନିର୍ଦ୍ଧାରଣ କରିବ ସୂଚନା ପ୍ରଯୁକ୍ତି। ବିଭିନ୍ନ ସରକାରୀ ସେବା ପ୍ରଦାନର ଗୁଣବତ୍ତାକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ହିତାଧିକାରୀଙ୍କ ଠାରୁ ମତାମତ ଗ୍ରହଣ ପାଇଁ ଆଗାମୀ ଦିନରେ “ଆମଶାସନ” ବ୍ୟବସ୍ଥା କାର୍ୟ୍ୟକାରୀ ହେବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସଚିବସ୍ତରୀୟ ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି।
ସୂଚନା ଅନୁସାରେ କାର୍ୟ୍ୟକାରୀ ହେଉଥିବା ଜନଶୁଣାଣିବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳ କିପରି ସହାୟକ ହୋଇଛି, ସେ ସଂପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା। ଜରୁରୀ କାର୍ୟ୍ୟାନୁଷ୍ଠାନ ଆବଶ୍ୟକ କରୁଥିବା ଅଭିଯୋଗ ଗୁଡିକ ପାଇଁ ଟେକ୍ନୋଲୋଜି ମାଧ୍ୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଏଥି ସହିତ ସଂପର୍କରେ ବୈଠକରେ ସ୍ଥିର ହୋଇଥିଲା। ଓଡ଼ିଶା ଜନସେବା ଅଧିକାର ଅଧିନିୟମ ଅଧିନରେ ଅନ୍ତର୍ଭୁକ୍ତ ସେବା ଗୁଡିକୁ ’ଆମ ସାଥୀ’ ଏକୀକୃତ ହ୍ୱାଟ୍ସଆପ୍ ବଟ୍ରେ ସମନ୍ୱିତ କରାଯିବା ପାଇଁ ନିଆଯାଇ ଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇ ଥିଲା। ଅନୁମୋଦନ କରାଯାଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଧାର୍ୟ୍ୟ ସମୟସୀମା ଅନୁସାରେ କାର୍ୟ୍ୟକାରୀ କରାଯିବା, ଧାର୍ୟ୍ୟ ଲକ୍ଷ୍ୟ ଅନୁସାରେ ଅଗ୍ରଗତି ଇତ୍ୟାଦି ଅନୁଧାନ ପାଇଁ ଆଗାମୀ ଅକ୍ଟୋବର ସୁଦ୍ଧା ୱାର୍କ ପାସ୍ ବୁକ୍ ବ୍ୟବସ୍ଥା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଲଗାଯାଉଥିବା ସିସିଟିଭି ବ୍ୟବସ୍ଥାକୁ ସଂଯୋଗୀକୃତ କରାଯାଇ କେନ୍ଦ୍ରୀୟ ପରିଚାଳନା ନିମନ୍ତେ ସମନ୍ୱିତ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଇଛି। ପ୍ରଶାସନିକ ରୂପାନ୍ତରଣକୁ ସଶକ୍ତକରିବା ଉଦ୍ଦେଶ୍ୟରେ ଡିଜିଟାଲ ପ୍ଲାଟଫର୍ମ “ଓଡ଼ିଶା ଆଇଡିଆଜ୍ ପୋର୍ଟାଲ ରୋଲଆଉଟ୍” ଆରମ୍ଭ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଛି।










