ଇଭି କିଣା ପାଇଁ ସବସିଡି ଋଣରେ ବାବୁଙ୍କ ମଉଜ

ଭୁବନେଶ୍ବର:-ବିଦ୍ୟୁତ ଚଳିତ ଯାନ (ଇଭି) ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ ସରକାରୀ କର୍ମଚାରୀ ଏହି ସୁବିଧାର ଦୁରୂପଯୋଗ କରୁଥିବା ଜଣାପଡିଛି। ଇଭି କିଣା ପାଇଁ ଅଗ୍ରୀମ ନେଇ ସେହି ଅର୍ଥ ଅନ୍ୟ କାମରେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏପରିକି ଇଭି କ୍ରୟ କରିବାର ବର୍ଷ ବର୍ଷ ପରେ ମଧ୍ୟ ସରକାରଙ୍କୁ ଗାଡ଼ି କିଣା ବାବଦ କାଗଜପତ୍ର ଦେଉ ନାହାନ୍ତି। ଏପରି ଅଧିକାରୀ ଓ କର୍ମଚାରୀଙ୍କ ଠାରୁ ୧୨.୫ ପ୍ରତିଶତ ସୁଧରେ ଋଣ ଅର୍ଥ ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି। ସମବାୟ ବିଭାଗରେ ଏପରି ଅନିୟମିତତା ନଜରକୁ ଆସିଥିବା ବେଳେ ଅନେକ ବିଭାଗ ଏପରି ସମସ୍ୟାକୁ ନେଇ ଅକଳରେ ପଡିଛନ୍ତି।

ବିଦ୍ୟୁତ ଚାଳିତ ଯାନ ପ୍ରତି ଜନସାଧାରଣଙ୍କୁ ଆକୃଷ୍ଠ କରିବା ଲାଗି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ତେବେ ସେଥିରୁ ପ୍ରମୁଖ ହେଉଛି ସରକାରୀ କର୍ମଚାରୀମାନଙ୍କ ପାଇଁ ବିନା ସୁଧରେ ଋଣ ସୁବିଧା। ଗ୍ରୁପ୍ଏ- ଓ ଗ୍ରୁପ୍-ବି ଅଧିକାରୀମାନେଇ ଚାରି ଚକିଆ ଏବଂ ଗ୍ରୁପ୍-ସି ଓ ଗ୍ରୁପ୍-ଡି କର୍ମଚାରୀମାନେ ଦୁଇ ଚକିଆ ଇଭି କ୍ରୟ ପାଇଁ ନିଜ ବିଭାଗ ଜରିଆରେ ବିନା ସୁଧରେ ଋଣ ନେଇ ପାରିବେ। ଯାନର ବଜାର ମୂଲ୍ୟ ଉପରେ ୭୫% ପର୍ଯ୍ୟନ୍ତ ଋଣ ଦିଆଯାଉଛି। ନିୟମ ଅନୁସାରେ ଯାନ କ୍ରୟ କରିବାର ୩ ମାସ ଭିତରେ ସମ୍ପୃକ୍ତ କର୍ମଚାରୀ ବିଭାଗ ନିକଟରେ ଗାଡ଼ିର କାଗଜପତ୍ର ଦାଖଲ କରିବେ। ଯାହା ଫଳରେ ସ୍ପଷ୍ଟ ହୋଇପାରିବ ଯେ ଋଣ ଅର୍ଥ ଠିକ୍ କାର୍ଯ୍ୟରେ ବିନିଯୋଗ ହୋଇଛି। ଏଥିରେ ଖିଲାପ କଲେ ୧୨.୫% ସୁଧ ହାରରେ ଋଣ ଅର୍ଥ ଆଦାୟ କରାଯିବା ସହ ବଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏହି ସୁବିଧା ଦ୍ବାରା ବହୁ ସରକାରୀ କର୍ମଚାରୀ ଉପକୃତ ହେଉଛନ୍ତି। କିନ୍ତୁ ସରକାରଙ୍କ ଆଦେଶ ବିରୋଧରେ ଯାଉ ଥିବା କର୍ମଚାରୀଙ୍କ ସଂଖ୍ୟା କିଛି କମ୍ ନାହିଁ। ଦୁଇ ଚକିଆ ହେଉ ଅବା ଚାରି ଚକିଆ ଇଭି କ୍ରୟ କରିଥିବା କର୍ମଚାରୀ, ନା କାଗଜପତ୍ର ଦାଖଲ କରୁଛନ୍ତି ନା କିସ୍ତି ପୈଠ କରୁଛନ୍ତି। ସମବାୟ ବିଭାଗ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ବହୁ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀ ୨୦୨୨ ମସିହାରୁ ସୁଧବିହୀନ ଋଣ ନେଇ ଥିଲେ ସୁଦ୍ଧା ଆଜି ଯାଏ ଗାଡ଼ିର ପଞ୍ଜିକରଣ, ବୀମା କାଗଜପତ୍ର ଦାଖଲ କରି ନାହାନ୍ତି। କିନ୍ତୁ କିସ୍ତି ଅର୍ଥ ପୈଠ କରି ଚାଲିଛନ୍ତି। ତେଣୁ ସେମାନେ ଗାଡ଼ି କିଣା ବାବଦ ଋଣ ଅର୍ଥ ଅନ୍ୟତ୍ର ବିନିଯୋଗ କରିଥିବା ବିଭାଗ ଜାଣିବାକୁ ପାଇଛି। ତେଣୁ ପୂରା ଋଣ ପରିମାଣ ଉପରେ ୧୨.୫% ସୁଧ ସହିତ ଅର୍ଥ ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ମଧ୍ୟ ବିଭିନ୍ନ ବିଭାଗରେ ଏପରି ଜାଲିଆତି ନଜରକୁ ଆସିଥିଲା। ଫଳରେ ୨୦୨୩ରେ ଅର୍ଥ ବିଭାଗ ଏକ ବିଜ୍ଞପ୍ତି ଜାରି କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲା। ଏହା ଜାଣିବା ପରେ ଋଣ ନେବାର ୩ ମାସ ଭିତରେ ଇଭି କ୍ରୟ କରିଥିବା କର୍ମଚାରୀ କିଛି ଦିନ ଭିତରେ ଗାଡ଼ିର କାଗଜପତ୍ର ଦାଖଲ କରି ଦେଇଥିଲେ।

Leave a Reply

Your email address will not be published. Required fields are marked *