ଜନତାଙ୍କୁ ଉତ୍ତମ ସେବା ସୁନିଶ୍ଚିତ କରିବ ଏଆଇ
ଭୁବନେଶ୍ୱର:- କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟାପକ ପ୍ରଚଳନ ହେବ, ସରକାରୀ ସେବା ଓ କାମ ଅଧିକ ଫଳପ୍ରଦ ହେବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ସରକାରୀ କାମରେ ଏଆଇର ଉପଯୋଗ ଉପରେ ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ରାଜ୍ୟ ଇ ଓ ଆଇଟି ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ସପ୍ତାହରେ ରାଜ୍ୟ କ୍ୟାବିନେଟ ପାରିତ କରିଥିବା ଏଆଇ ନୀତି-୨୦୨୫ ଏ ଦିଗରେ ପ୍ରଥମ ପଦକ୍ଷେପ। ସରକାରଙ୍କ ଉପରେ ବର୍ଦ୍ଧିତ କାର୍ଯ୍ୟ ଭାର ଓ ତ୍ରୁଟିଶୂନ୍ୟ ପରିଣାମ ଲକ୍ଷ୍ୟ ଏଆଇ ଦ୍ବାରା ସାଧିତ ହୋଇପାରିବ ବୋଲି କୁହାଯାଇଛି। କହିବାକୁ ଗଲେ ସରକାରୀ କାର୍ଯ୍ୟରେ ରୂପାନ୍ତରଣ ଦେଖିବାକୁ ମିଳିବ।
ଏଆଇ ନୀତି ଅନୁସାରେ ରାଜ୍ୟ ସରକାର ଏକ ଏଆଇ ସେଲ ପ୍ରତିଷ୍ଠା କରିବେ। ସରକାରଙ୍କର ପୂରା ପ୍ରଶାସନରେ ଏଆଇର ଉପଯୋଗକୁ ଏହି ସେଲ ନିୟନ୍ତ୍ରଣ କରିବ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍) ଉପରେ ଏହି ଦାୟିତ୍ବ ନ୍ୟସ୍ତ କରାଯିବ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା, ପ୍ରକଳ୍ପ ଓ କାର୍ଯ୍ୟକ୍ରମର ପରିଚାଳନା, ବିଭାଗ ଗୁଡିକୁ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ବ ଦିଆଯିବ। ଏହି ପୂରା ପ୍ରକ୍ରିୟାକୁ ବଳ ଯୋଗାଇବା ପାଇଁ ଏଆଇ ମିଶନ୍ ଆରମ୍ଭ କରାଯିବ। ସ୍ବାସ୍ଥ୍ୟ, କୃଷି, ଶିକ୍ଷା, ନିର୍ମାଣ, ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା, ପ୍ରଶାସନିକ ସେବାରେ ଏଆଇର ପ୍ରଚଳନ ଆରମ୍ଭ ହେବ। ସେହିପରି ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଏଆଇ ସମ୍ପର୍କରେ ପ୍ରଶିକ୍ଷଣ ଦେବା ଲାଗି ସ୍ବତନ୍ତ୍ର ପାଠ୍ୟକ୍ରମର ପ୍ରଳଚନ କରାଯିବ। ଅପରପକ୍ଷେ ତଥ୍ୟ ସଂରକ୍ଷଣ, ଅନୁଶୀଳନ, ପ୍ରକଳ୍ପ ଡିଜାଇନ୍ ଭଳି କାର୍ଯ୍ୟ ଏଆଇ ସେଲ ଦ୍ବାରା ସମ୍ପାଦିତ ହେବ। ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ପାଇଁ ଏଆଇ ସମ୍ପର୍କିତ ପ୍ରଶିକ୍ଷଣ ଏକାନ୍ତ ଆବଶ୍ୟକ ବୋଲି ଗତ ମାସରେ ମୁଖ୍ୟ ସଚିବ ମନୋଜ ଆହୁଜା ସମସ୍ତ ବିଭାଗର ସଚିବମାନଙ୍କୁ ପତ୍ର ଲେଖି କହିଥିଲେ। ଆଇଟି ବିଭାଗ ଅଧିକାରୀଙ୍କ କହିବା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ କିଛି ବିଭାଗରେ ଏଆଇର ପ୍ରୟୋଗ କରିବା ସମ୍ପର୍କରେ ଚିନ୍ତା କରାଯାଉଛି। ତେବେ ଏହା ପୂର୍ବରୁ ଏଆଇର କାର୍ଯ୍ୟଧାରା ସମ୍ପର୍କରେ ପ୍ରଶିକ୍ଷଣ ଏକାନ୍ତ ଆବଶ୍ୟକ। ବରିଷ୍ଠ ଅଧିକାରୀଙ୍କ ପାଖରୁ ଆରମ୍ଭ କରି କନିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହା ସହିତ ସରକାରୀ ବିଭାଗରେ ଏଆଇର ପ୍ରୟୋଗ ଆରମ୍ଭ ପାଇଁ ସ୍ବତନ୍ତ୍ର ସଫ୍ଟୱେରର ପ୍ରଚଳନ ଆବଶ୍ୟକ। ଏଆଇ ବ୍ୟବହାର ହେବା ଦ୍ବାରା ବହୁ କଠିନ ଓ ସମୟସାପେକ୍ଷ କାର୍ଯ୍ୟରେ ସହଜରେ ଓ ନିର୍ଭୁଲ ଭାବେ ସମ୍ପାଦିତ ହୋଇପାରିବ।










