ଗାଡ଼ି ଯାଞ୍ଚ ପାଇଁ ପୁଲିସକୁ ମିଳିବ ଅଧିକ କ୍ଷମତା

ଭୁବନେଶ୍ବର,: -ସଡ଼କ ସୁରକ୍ଷା ଦାୟିତ୍ବରେ ଥିବା ପରିବହନ ବିଭାଗ ଏବେ ପୁଲିସର ଅଧିକ ସହାୟତା ନେବାକୁ ଯୋଜନା କରିଛି। କିନ୍ତୁ ତାହା ସଡ଼କ ସୁରକ୍ଷା ପାଇଁ ନୁହେଁ ବରଂ ଜୋରିମାନା ଆଦାୟ ପାଇଁ ପୁଲିସକୁ ଅଧିକ କ୍ଷମତା ଦିଆଯାଉ ବୋଲି କହିଛି। ଏହି ମର୍ମରେ ପରିବହନ କମିଶନର ଅମିତାଭ ଠାକୁର ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ପରିବହନ କମିଶନର ନିଜ ପତ୍ରରେ ଦର୍ଶାଇଛନ୍ତି ଯେ ମୋଟର ଯାନ ଆଇନ ୧୯୮୮ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ପୂର୍ବରୁ ପୁଲିସକୁ କ୍ଷମତା ଦିଆଯାଇଛି। ତେବେ ଅଧିକ ଦଫାରେ ଜୋରିମାନା ଆଦାୟ ପାଇଁ ପୁଲିସକୁ କ୍ଷମତା ଦିଆଯିବା ଆବଶ୍ୟକ। ଚଳିତ ବର୍ଷ ମାର୍ଚ୍ଚ ମାସରେ କଟକ-ଭୁବନେଶ୍ବର ପୁଲିସ କମିଶନର ଏମଭି ଆଇନ ୧୯୮୮ର ଧାରା ୧୮୦, ୧୮୧, ୧୮୪ (ଏ,ବି,ଡି,ଏଫ୍‌), ୧୮୫, ୧୯୨ ଓ ୧୯୬ରେ ସହକାରୀ ପୁଲିସ ଇନ୍ସପେକ୍ଟର (ଏଏସ୍‌ଆଇ) କିମ୍ବା ତଦୁର୍ଦ୍ଧ ପାହ୍ୟାର ପୁଲିସ ଅଧିକାରୀଙ୍କୁ କ୍ଷମତା ପ୍ରଦାନ କରିବା ଲାଗି ପତ୍ର ଲେଖି ସରକାରଙ୍କୁ ନିବେଦନ କରିଥିଲେ। ଏପରିସ୍ଥଳେ ପୌରାଞ୍ଚଳରେ ଏସ୍‌ଆଇ କିମ୍ବା ତଦୁର୍ଦ୍ଧ ଏବଂ ଗ୍ରାମାଞ୍ଚଳରେ ଏଏସ୍‌ଆଇ କିମ୍ବା ତଦୁର୍ଦ୍ଧ ପାହ୍ୟାର ଅଧିକାରୀ ତଥା ସମସ୍ତ ଟ୍ରାଫିକ୍ ପୁଲିସ ଥାନାକୁ ଉପରୋକ୍ତ ଦଫାରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମତା ପ୍ରଦାନ କରିବାର ଆବଶ୍ୟକତା ରହିଛି। ସେହି ପୁଲିସ ଅଧିକାରୀମାନେ ଅଦାଲତରେ ଉକ୍ତ ମାମଲା ସମ୍ପର୍କିତ କାଗଜପତ୍ର ଦାଖଲ କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏମ୍‌ଭି ଆଇନର ବିଭିନ୍ନ ଦଫାରେ ନିୟମ ଖିଲାପକାରୀଙ୍କ ଗାଡ଼ି ଜବତ କରିବା ସହିତ ଅଦାଲତରେ ମାମଲା ପରିଚାଳନା ଦାୟିତ୍ବ ଦିଆଯାଇଛି। ଅଧିକ କ୍ଷମତା ଦିଆଗଲେ ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କ ମନରେ ଭୟ ରହିବ। ତେଣୁ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ ନିମନ୍ତେ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରଯାଉ ବୋଲି ପରିବହନ କମିଶନର ନିବେଦନ କରିଛନ୍ତି। ତେବେ ସଡ଼କ ସୁରକ୍ଷା ବିଶେଷଜ୍ଞ ଏଥିରେ ସହମତ ନାହାନ୍ତି। ସେମାନଙ୍କ ମତରେ ଥାନା ପୁଲିସ ପାଖରେ ଅନେକ କାମ ରହିଛି ଯାହାର ସମ୍ପାଦନ ସମୟ ଓ ଶ୍ରମ ସାପେକ୍ଷ। ଅପରାଧ ମାମଲାରେ ପୁଲିସ ଠିକ୍ ସମୟରେ ଅଦାଲତରେ କାଗଜପତ୍ର ଦାଖଲ କରିପାରୁ ନାହିଁ। ଏମ୍‌ଭି ଆଇନରେ କ୍ଷମତା ଦିଆଗଲେ ପୁଲିସ ତୁଲାଇ ପାରିବ ତ? କାରଣ ପୂର୍ବରୁ ମୋଟର ଯାନ ସମ୍ପର୍କିତ ମାମଲାର କାଗଜପତ୍ର ୧୫ ଦିନ ମଧ୍ୟରେ ଦାଖଲ ହେଉ ନଥିବାରୁ ଜୋରିମାନା ଆଦାୟ ହୋଇପାରୁ ନାହିଁ। ଏପରିସ୍ଥଳେ ପୁଲିସକୁ କ୍ଷମତା ଦେଲେ ସେମାନେ‌ କେବଳ ଜୋରିମାନା ଆଦାୟରେ ବ୍ୟସ୍ତ ରହିବେ। ଜୋରିମାନା ଆଦାୟ ନୁହେଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *