କୁଷ୍ଠ ରୋଗୀଙ୍କୁ ମିଳିବ ସମ୍ମାନ, ଉଛେଦ ହେବ ବ୍ରିଟିଶ ଅମଳର ଆଇନ

ଭୁବନେଶ୍ବର:- ଆଜିର ଯୁଗରେ ବି କୁଷ୍ଠ ରୋଗୀଙ୍କୁ ଘୃଣା ଚକ୍ଷୁରେ ଦେଖା ଯାଉଛି। ସେମାନଙ୍କୁ ଅଭିଷପ୍ତ ବୋଲି ବିବେଚନା କରାଯାଉଛି। ସମ୍ମାନ ମିଳୁନି, ଅଧିକାର ଦିବା ସ୍ବପ୍ନ ପାଲଟିଛି। ବଡ଼ କଥା ହେଲା ବିଧିବ୍ୟବସ୍ଥାରେ ଏପରି କିଛି ପୁରୁଣା ଆଇନ ଅଜି ଯାହା ପାଇଁ କୁଷ୍ଠ ରୋଗୀ ଅବହେଳାର ଶିକାର ହେଉଛନ୍ତି। କିନ୍ତୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶରେ ଏ ସବୁ ଆଇନ୍ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଓଡ଼ିଶା ସରକାର। ରାଜ୍ୟ ଆଇନ୍ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯିବା ସହିତ କେଉଁ ବିଭାଗରେ କୁଷ୍ଠ ରୋଗୀ ତଥା ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ପାତର ଅନ୍ତର ସମ୍ପର୍କିତ କ’ଣ ସବୁ ଯୋଜନା/କାର୍ଯ୍ୟକ୍ରମ ରହିଛି ତାହାର ବିସ୍ତୃତ ବିବରଣୀ ପ୍ରଦାନ ପାଇଁ କୁହାଯାଇଛି। ଏ ନେଇ ଆଇନ୍ ବିଭାଗର ପ୍ରମୁଖ ସଚିବ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ଶାସନ ସଚିବଙ୍କୁ ପତ୍ର ଲେଖି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବା ପାଇଁ କହିଛନ୍ତି। ଆଇନ୍ ବିଭାଗର ପ୍ରମୁଖ ସଚିବ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି।

ହସ୍ତଗତ ସୂଚନା ଅନୁସାରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣୀ କରି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶକ୍ରମେ ଆଇନ୍ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସରକାରୀ ବିଧି ବ୍ୟବସ୍ଥାରେ କୁଷ୍ଠ ରୋଗୀ ଅବା ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ଭେଦଭାବ ସୃଷ୍ଟି କରୁଥିବା କିଛି ନୀତି ନିୟମ ବଳବତ୍ତର ରହିଛି। ଯାହା ଫଳରେ ଏପରି ଏକ କୁ ପ୍ରଥାର ବିଲୋପ ହୋଇପାରୁ ନାହିଁ। ତେବେ ଏହା ପୂର୍ବରୁ ସମ୍ପୃକ୍ତ ଆଇନ୍ ଗୁଡିକୁ ଖୋଜି ବାହାର କରିବାର ଆବଶ୍ୟକତା ରହିଛି। ସେଗୁଡିକର ତର୍ଜମା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଏହି ପରିପ୍ରେକ୍ଷୀରେ କେଉଁ ବିଭାଗରେ କୁଷ୍ଠ ସଂକ୍ରମିତ ଅବା ସୁସ୍ଥଙ୍କ ପ୍ରତି ଭେଦଭାବ ସୃଷ୍ଟି କରୁଥିବା ଆଇନ୍ ସମ୍ପର୍କରେ ବିବରଣୀ ପ୍ରଦାନ ପାଇଁ କମିଟି ପକ୍ଷରୁ ସବୁ ବିଭାଗକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *