ଅଧିକାରୀଙ୍କ ଅବହେଳା, ମାତ୍ର ୭% ଧାନ ଗାଡିରେ ଲାଗିଛି ଭିଟିଏସ୍
ଭୁବନେଶ୍ବର:- ଧାନ କିଣା ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ ପାଇଁ ପରିବହନରେ ନିୟୋଜିତ ସମସ୍ତ ଗାଡିରେ ଭେହିକିଲ ଟ୍ରାକିଂ ସିଷ୍ଟମ୍ (ଭିଟିଏସ୍) ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ କିଛି ଜିଲାରେ ଏହି ନିର୍ଦେଶର ଉଲ୍ଲଘଂନ କରାଯାଇଥିବା ଜଣାପଡିଛି। ବଡ଼ କଥା ହେଉଛି ସବୁଠାରୁ ଅଧିକ ଧାନ ଅମଳ ହେଉଥବା ବରଗଡ଼, କଳାହାଣ୍ଡି, ସୋନପୁର ଓ ସମ୍ବଲପୁର ଜିଲାରେ ଏପରି ଅବ୍ୟବସ୍ଥା ନଜରକୁ ଆସିଛି। ୨୦ ଜିଲାରେ ମାତ୍ର ୭% ଗାଡିରେ ଭିଟିଏସ୍ ଲାଗିଛି। ଏପରି ବ୍ୟତିକ୍ରମକୁ ନେଇ ସମବାୟ ବିଭାଗ ଚିନ୍ତା ପ୍ରକଟ କରିବା ସହିତ ଭିଟିଏସ୍ ବ୍ୟବସ୍ତା କାର୍ଯ୍ୟକାରୀ କରିବା ଲାଗି ସମ୍ପୃକ୍ତ ଜିଲାର ସମବାୟ ସମିତି ଡେପୁଟି ରେଜିଷ୍ଟ୍ରାରଙ୍କୁ ନିର୍ଦେଶ ଦିଆଯାଇଛି।
ସମବାୟ ବିଭାଗ ରେଜିଷ୍ଟ୍ରାର ଏହି ଜିଲାର ଅଧିକାରୀଙ୍କୁ ପତ୍ର ଲେଖି କହିଛନ୍ତି ଯେ ରାଜ୍ୟ ଖାଉଟି ଯୋଗାଣ ନିଗମ ପକ୍ଷରୁ ଧାନ ପରିବହନରେ ନିୟୋଜିତ ସମସ୍ତ ଗାଡିରେ ଭିଟିଏସ୍ ଲାଗିବା ଜରୁରୀ ବୋଲି କୁହାଯାଇଛି। ମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଧାନ ପରିବହନ ବେଳେ ଉକ୍ତ ଗାଡିର ଗତିବିଧି ଉପରେ ନଜର ରଖିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି। କିନ୍ତୁ ଚଳିତ ରବି ଋତୁ ଧାନ ସଂଗ୍ରହ ଚାଲିଥିବା ବେଳେ ବରଗଡ଼, କଳାହାଣ୍ଡି, ସୋନପୁର ଓ ସମ୍ବଲପୁର ଜିଲାରେ ଏହି ନିୟମର ଉଲ୍ଲଘଂନ କରାଯାଉ ଥିବା ଦେଖାଯାଇଛି। ଧାନ ସଂଗ୍ରହ ପ୍ରକ୍ରିୟାରେ ସ୍ବଚ୍ଛତା ଓ ଦକ୍ଷତା ସୁନିଶ୍ଚିତ କରିବା ଲାଗି ଭିଟିଏସ୍ ଏକାନ୍ତ ଜରୁରୀ। ତେଣୁ ତୁରନ୍ତ ଭିଟିଏସ୍ ଲଗାଇବା ପାଇଁ ପଦକ୍ଷେପ ନିଆଯାଉ ବୋଲି ଚାରି ଜିଲାର ଅଧିକାରୀଙ୍କୁ କୁହାଯାଇଛି। ଏହା ପୂର୍ବରୁ ଚଳିତ ମାସ ୯ ତାରିଖରେ ନିଗମର ପରିଚାଳନା ନିର୍ଦେଶକ ଉକ୍ତ ଜିଲାର ଜିଲାପାଳମାନଙ୍କୁ ପତ୍ର ଲେଖି ଭିଟିଏସ୍ ଲଗାଇବାରେ ଅବହେଳାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ବିଭାଗୀୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ବରଗଡ଼ ଜିଲାରେ ୪%, ସମ୍ବଲପୁରରେ ୧%, ସୋନପୁରରେ ୧୧% ଓ କଳାହାଣ୍ଡି ଜିଲାରେ ୮% ଭିଟିଏସ୍ କାର୍ଯ୍ୟକାରୀ ହୋଇଛି। ସେହିପରି ନୂଆପଡ଼ାରେ ୯%, କନ୍ଧମାଳରେ ୫୦%, ପୁରୀରେ ୩୨%, ଯାଜପୁରରେ ୪୭%, ମୟୂରଭଞ୍ଜରେ ୬୫%, ବାଲେଶ୍ବରରେ ୪୦% ଗାଡିରେ ଭିଟିଏସ୍ ଲାଗିଛି। ତେବେ ଭଦ୍ରକ, ନବରଙ୍ଗପୁରରେ ଶତ ପ୍ରତିଶତ ଭିଟିଏସ୍ ବ୍ୟବହାର ହୋଇଛି।










