ପ୍ରତିଷ୍ଠା ହେବ ଡିପ୍ ୱାଟର୍ ପୋର୍ଟ, କଣ୍ଟେନର ଟର୍ମିନାଲ

ଭୁବନେଶ୍ବର:- ରାଜ୍ୟରେ ନଦୀ ସଂଯୋଗୀକରଣ ପ୍ରକଳ୍ପ ଆଗକୁ ବଢ଼ୁଥିବା ବେଳେ ନୌବାଣିଜ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ସବୁ ଋତୁକାଳୀନ ଗଭୀର ଜଳ ବନ୍ଦର (ଡିପ୍ ୱାଟର ପୋର୍ଟ) ପ୍ରତିଷ୍ଠା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ କ୍ରୁଜ୍ ଟର୍ମିନାଲ, ବହୁମୁଖୀ ହାର୍ବର, କଣ୍ଟେନର ଟର୍ମିନାଲ ନିର୍ମାଣ କରାଯିବ। ବନ୍ଦର ନିର୍ମାଣ ଓ ମରାମତି କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ଏଥିପାଇଁ ଅଭିଜ୍ଞ ସଂସ୍ଥା ଠାରୁ ବାଣିଜ୍ୟ ଓ ପରିବହନ ବିଭାଗ ଋଚି ଅଭିବ୍ୟକ୍ତି (ଇଓଆଇ) ଆହ୍ବାନ କରିଛି।

ସୂଚନା ଅନୁସାରେ ରାଜ୍ୟରେ ଏବେ ତିନିଟି ବନ୍ଦର, ପାରାଦ୍ବୀପ, ଗୋପାଳପୁର ଓ ଧାମରା ବନ୍ଦର କାର୍ଯ୍ୟକ୍ଷମ ଅଛି। ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବିନ୍ଦର ନିର୍ମାଣାଧୀନ ଅଛି। ଜଟାଧାର ମୁହାଣରେ ଜେଟି ପ୍ରକଳ୍ପ କାମ ଜାରି ରହିଛି। ତେବେ ବିଜ୍ଞାପିତ ଓ ଅଣ ପ୍ରମୁଖ ବନ୍ଦର ଭାବେ ବିଚିତ୍ରପୁର, ବହାବଳପୁର, ଚାନ୍ଦିପୁର, ଇଞ୍ଚୁଡି, ଚୂଡାମଣି, ବାଲିହରଚଣ୍ଡି, ପାଲୁର ଓ ବାହୁଡା ମୁହାଣ ବନ୍ଦରରେ ଏସବୁ ପ୍ରକଳ୍ପ ସ୍ଥାପନ କରାଯିବ। ବାଣିଜ୍ୟିକ, ସାମାଜିକ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ପ୍ରତ୍ୟେକ ବିଜ୍ଞାପିତ ବନ୍ଦରରେ ପର୍ଯ୍ୟାୟକ୍ରମେ ନିର୍ଦ୍ଧିଷ୍ଟ ପ୍ରକଳ୍ପ ସ୍ଥାପନ କରାଯିବ। ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜିବିତ କରିବା ଲକ୍ଷ୍ୟରେ ସରକାର ବନ୍ଦର ଭିତ୍ତିଭୂମି ସୁଦୃଢ଼ କରୁଛନ୍ତି। ପଣ୍ୟ ପରିବହନ ଓ ସଂରକ୍ଷଣ, ନୌ-ପର୍ଯ୍ୟଟନ, ଆଞ୍ଚଳିକ ବାଣିଜ୍ୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ଯାହା ରୋଜଗାର ସୃଷ୍ଟି କରିବ। ଉଭୟ ସରକାର, ଉଦ୍ୟୋଗ, ଜନସାଧାରଣ ଏହାର ଉପକାର ପାଇବେ। ବାଲେଶ୍ବରରୁ ଗଞ୍ଜାମ ପର୍ଯ୍ୟନ୍ତ ଓଡ଼ିଶା ତଟରେ ସନ୍ନିହିତ ପ୍ରତ୍ୟେକ ସମ୍ଭାବନାକୁ ଉଜାଗର କରାଯିବ। ଓଡ଼ିଶାରୁ ପଣ୍ୟ ରପ୍ତାନୀ ଓ ଆମଦାନୀ ସୁଗମ ହେବ। ଉପଯୁକ୍ତ ରୁଟ୍ ପରିଚାଳନା ଦ୍ବାରା ଅର୍ଥ, ସମୟର ଅପଚୟ ହ୍ରାସ ପାଇବା ସହିତ ପରିବେଶ ସୁରକ୍ଷା ତ୍ବରାନ୍ବିତ ହେବ। ଆଗକୁ ଏ ସବୁ ପ୍ରକଳ୍ପ ନେଇ ବିଧିବଦ୍ଧ ଟେଣ୍ଡର ଆହ୍ବାନ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଜାତୀୟ ଜଳପଥ ପ୍ରକଳ୍ପ ତ୍ବରାନ୍ବିତ ହୋଇଛି। ଜଳପଥରେ ସଂଯୋଗ ହେଲେ କାରବାର ପାଇଁ ଭିତ୍ତିଭୂମିର ଆବଶ୍ୟକତା ପୂରଣ ପାଇଁ ଉପରୋକ୍ତ ପ୍ରକଳ୍ପ ସହାୟକ ହେବ।

Leave a Reply

Your email address will not be published. Required fields are marked *