ଗାଁକୁ ଯିବେ ଆଇଏଏସ

ଚାଲି ଚାଲି ଯିବେ, ଲୋକଙ୍କ ଦୁଃଖ ଶୁଣିବେ
ଭୁବନେଶ୍ବର,:- କେବଳ ସଚିବାଳୟରେ ବସିଲେ ହେବ ନାହିଁ। ସହରାଞ୍ଚଳରେ, ପଞ୍ଚାୟତରେ ଲୋକେ କେଉଁ ପ୍ରକାର ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ଅଙ୍ଗେ ନିଭାଇବେ ଆଉ ପ୍ରତିକାର ପାଇଁ ପଦକ୍ଷେପ ନେବେ। ଦିନେ ଦୁଇ ଦିନ ଜନତା, ପ୍ରଶାସନ ସହିତ ବିତାଇବା ଜରୁରୀ। ବରିଷ୍ଠ ଆଇଏଏସ୍ ମାନଙ୍କୁ ଜିଲା ଗସ୍ତରେ ଯିବା ପାଇଁ ଜାରି ହୋଇଥିବା ନିର୍ଦେଶନାମାରେ ଏପରି କିଛି କୁହାଯାଇଛି। ତେବେ ପୂର୍ବରୁ ମଧ୍ୟ ଜିଲା ଗସ୍ତ ପାଇଁ କୁହାଯାଇ ଥିଲେ ସୁଦ୍ଧା ଅନେକ ସଚିବ ସ୍ତରୀୟ ଅଧିକାରୀ ଯାଇନଥିଲେ। ଏତର କେତେଦୂର ନିର୍ଦେଶ ପାଳନ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

ଜୁନ୍‌ରୁ ଅଗଷ୍ଟ ମାସ ମଧ୍ୟରେ ଜିଲା ଗସ୍ତ କରିବାକୁ ନିର୍ଦେଶ ଦେଇ ପତ୍ର ଲେଖିଥିବା ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ ଅଧିକାରୀମାନେ ଅନ୍ତତଃ ୨/୩ ଦିନ ପାଇଁ ଜିଲା ଗସ୍ତରେ ଯାଇ ସରକାରୀ କାର୍ଯ୍ୟକ୍ରମ ଓ ଭିତ୍ତିଭୂମିର ସମୀକ୍ଷା କରିବା ଆବଶ୍ୟକ। ପ୍ରମୁଖ ସଚିବ, ସଚିବ ପାହ୍ୟାର ୩୦ ଜଣ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ଜିଲା ତାଲିକା ଜାରି କରାଯାଇଛି। ଅଧିକାରୀମାନେ ଜିଲା ଗସ୍ତ ସମୟରେ ଦୁର୍ଗମ, ଆଦିବାସୀ ବହୁଳ ଅଞ୍ଚଳକୁ ପ୍ରାଧାନ୍ୟ ଦେବା ଉଚିତ। ଆବଶ୍ୟକ ସ୍ଥଳେ ସଚିବମାନେ ଚାଲି ଚାଲି ଉକ୍ତ ଅଞ୍ଚଳରେ ପହଞ୍ଚିବେ ଏବଂ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା କରି ରାଜ୍ୟସ୍ତରରେ ତାହାର ଫଇସାଲା ପାଇଁ ଉଦ୍ୟମ କରିବେ। ଅନ୍ତତଃ ଗୋଟିଏ ପଞ୍ଚାୟତକୁ ଯାଇ ସେଠାରେ ସରକାରଙ୍କ କଲ୍ୟାଣମୂଳକ ଯୋଜନା କିପରି ଚାଲିଛି ତାହା ଅନୁଧ୍ୟାନ କରିବେ। ସେହିପରି ଏସ୍‌ଟି/ଏସ୍‌ସି ହଷ୍ଟେଲ କିମ୍ବା ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ, ଆହର କେନ୍ଦ୍ର, ଅନାଥ ଆଶ୍ରମରେ ଭୋଜନ କରି (ଉପଯୁକ୍ତ ଦେୟ ପ୍ରଦାନ କରି) ଗୁଣବତ୍ତା ଯାଞ୍ଚ କରିବେ। ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ଲୋକ, ବାଳିକା ହଷ୍ଟେଲର ଅନ୍ତେବାସୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବେ। ପୂର୍ବାହ୍ନରେ କ୍ଷେତ୍ର ପରିଦର୍ଶନ ଓ ଅପରାହ୍ନରେ ଜିଲା ଅଧିକାରୀମାନଙ୍କ ସହ ବୈଠକରେ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଅଧିକାରୀମାନେ ଜିଲା ଗସ୍ତ ସମୟରେ ଆକାଂକ୍ଷୀ ବ୍ଲକ୍‌ରେ ସମୀକ୍ଷା କରିବା ଜରୁରୀ। ଜିଲା ଗସ୍ତ ପରେ ଅଧିକାରୀମାନେ ମୁଖ୍ୟ ସଚିବ, ସମ୍ପୃକ୍ତ ବିଭାଗ ଓ ଜିଲାପାଳ ମାନଙ୍କୁ ନିଜ ଗସ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *