ବରିଷ୍ଠ ନାଗରିକଙ୍କ ଦୁଃଖ ବୁଝିବ କିଏ

ଭୁବନେଶ୍ବର:-ରାଜ୍ୟରେ ନିର୍ଯ୍ୟାତିତ ଓ ଅସହାୟ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ି ଚାଲିଛି। କିଏ ପରିବାର ଭିତରେ ରହି ଯନ୍ତ୍ରଣା ପାଉଛି ତ ଆଉ କିଏ କୋର୍ଟ କଚେରୀ ଦୌଡ଼ି ନ୍ୟାୟ ପାଇବା ପାଇଁ ଅସମର୍ଥ। ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ନମ୍ବରରେ ପ୍ରତି ଦିନ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଫୋନ୍ କରି ସହାୟତା ମାଗୁଛନ୍ତି। କିନ୍ତୁ ସରକାର ସିନା ଅଭିଯୋଗ ଗ୍ରହଣ କରୁଛନ୍ତି, ସମାଧାନ ଦେଇପାରୁ ନାହାନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଖରେ ବରିଷ୍ଠ ନାଗରିକଙ୍କ ଅଭିଯୋଗ ପହଞ୍ଚୁଥିଲେ ସୁଦ୍ଧା ସମାଧାନ ପାଇଁ ଅନ୍ୟ ବିଭାଗର ହସ୍ତକ୍ଷେପ ଏକାନ୍ତ ଆବଶ୍ୟକ ହୋଇ ପଡୁଛି। ଦୀର୍ଘ ଦିନ ଧରି ଏପରି ସ୍ଥିତି ଲାଗି ରହିଥିବାରୁ ଅଭିଯୋଗ ସମାଧାନର ହାର ମଧ୍ୟ ବହୁତ କମ୍।

ସୂଚନା ଅନୁସାରେ ବରିଷ୍ଠ ନାଗରିକମାନେ ଜୀବନର ଶେଷ ସମୟରେ ବହୁତ ଆହ୍ବାନର ସମ୍ମୁଖୀନ ହୋଇଥାନ୍ତି। ଅନେକ ଦମ୍ପତ୍ତିଙ୍କ ପିଲାମାନେ ବାହାରେ ରହୁଛନ୍ତି। ପରିବାର ସଦସ୍ୟ ପାଖରେ ଥାଇ ମଧ୍ୟ ସେମାନେ ଅବହେଳାର ଶିକାର ହେଉଛନ୍ତି। ସହାୟତା ଆବଶ୍ୟକ କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ଭାରତ ସରକାର ସହାୟତା ନମ୍ବର ୧୪୫୬୭ ଜାରି କରିଛନ୍ତି। ୨୦୨୧ ମସିହାରୁ ଏହି ନମ୍ବର କାର୍ଯ୍ୟକାରୀ ହେଲାଣି। ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ମଧ୍ୟ କରାଯାଉଛି। କାହା ସହାୟତାରେ ହେଉ ଅବା ନିଜେ ଏହି ନମ୍ବରରେ ଫୋନ୍ କରି ନିଜ ସମସ୍ୟା ଜଣାଉଛନ୍ତି। କଲ୍ ସେଣ୍ଟରରେ ତାଙ୍କ ଅଭିଯୋଗ ପଞ୍ଜିକୃତ ହେଉଛି ସିନା ସମାଧାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇପାରୁ ନାହାନ୍ତି। ଫୋନ୍ ଆସିଥିବା ଜିଲା ପ୍ରଶାସନ ହସ୍ତକ୍ଷେପ କରିବା ଜରୁରୀ ହେଉଛି। ତେବେ ସେମାନଙ୍କୁ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇପାରୁଛି। ସାମାଜିକ ସୁରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଧିକାଂଶ ଅଭିଯୋଗ ସ୍ବାସ୍ଥ୍ୟ, ପୁଲିସ ସମ୍ପର୍କିତ ରହୁଛି। ତେଣୁ ସମାଧାନ ପାଇଁ ଅନ୍ୟ ବିଭାଗର ହସ୍ତକ୍ଷେପ ଆବଶ୍ୟକ। ଅନ୍ୟ ବିଭାଗରେ ସେହି ଦାୟିତ୍ବ କିଏ ତୁଲାଇବା ତାହା ସରକାରୀ ସ୍ତରରେ ଧାର୍ଯ୍ୟ ହେବା ଆବଶ୍ୟକ। ଏଥିରେ ଏବେ ସମସ୍ୟା ହେଉଛି। ନିକଟରେ ଗୃହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍ ବିଭାଗକର ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ ଡକାଯାଇଛି। ଏଥିରେ ସମ୍ପୃକ୍ତ ବିଭାଗ ମଧ୍ୟରେ କିପରି ସମନ୍ବୟ ରକ୍ଷା କରି ବରିଷ୍ଠ ନାଗରିକଙ୍କ ସମସ୍ୟା ଦୂର ହେବ, ସେ ସମ୍ପର୍କରେ ଆଲୋଚନା ହୋଇଛି। ଆଗକୁ ଗୃହିତ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *