କିସମ ବଦଳାଇ ଲିଜ୍ ଜମି ହଡ଼ପ
ଅଦାଲତକୁ ଦୌଡ଼ି ସରକାର ନୟାନ୍ତ
ଭୁବନେଶ୍ବର :- ଶିଳ୍ପ, ବ୍ୟବସାୟ, ସମାଜ ସେବା, ଦାତବ୍ୟ ଅନୁଷ୍ଠାନ ଭଳି କାମ ପାଇଁ ସରକାରଙ୍କ ଠାରୁ ଲିଜ୍ ସୂତ୍ରରେୁ ଜମି ନେଉଛନ୍ତି। କିନ୍ତୁ କାଗଜପତ୍ରରେ ଜାଲିଆତି କରି ବନି ଯାଉଛନ୍ତି ଲିଜ୍ ଜମିର ମାଲିକ। ଜମି ବିକ୍ରି ବି କରି ଦେଉଛନ୍ତି। ଅଯଥାରେ ସରକାରଙ୍କୁ ଅଦାଲତି ମାଲାରେ ଫସାଉଛନ୍ତି। ଲିଜ୍ଧାରୀ ଓ ସରକାରୀ ଅଧିକାରୀଙ୍କ କଳାକାରନାମାକୁ ନେଇ ସରକାର ଆରମ୍ଭ କରିଛନ୍ତି ଖୋଳତାଡ଼। ମାସେ ଭିତରେ ସବୁ ଲିଜ୍ ଜମିର କିସମ ଯାଞ୍ଚ କରାଯିବ। ଜାଲିଆତି ପ୍ରମାଣ ମିଳିଲେ ଲିଜ୍ ବାତିଲ ହେବ, ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ରାଜ୍ୟର ବିଭିନ୍ନ ଜିଲାରେ ସରକାର ଲିଜ୍ ସୂତ୍ରରେ ଶିଳ୍ପ ସଂସ୍ଥା, ବିଭିନ୍ନ ଅନୁଷ୍ଠାନ, ସଂଗଠନ, କମ୍ପାନୀ, ସରକାରୀ ଉଦ୍ୟୋଗ, ନିଗମଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରିଥାନ୍ତି। ସରକାରଙ୍କ ନିୟମ ଅନୁସାରେ ଲିଜ୍ ଜମିରେ ପଟ୍ଟାଧାର କିସମ ବୋଲି ଉଲ୍ଲେଖ ରହିବା ଜରୁରୀ। କେବଳ କୃଷି କିମ୍ବା ଆନୁସଙ୍ଗିକ କୃଷି କାମ ପାଇଁ ଜମି ଦିଆଯାଇ ଥିଲେ ପଟ୍ଟାରେ ସ୍ଥିତିବାନ୍ ଅବା ରୟତ ବୋଲି ଉଲ୍ଲେଖ ରହିବ। ଅଣ-ଚାଷ ଉଦ୍ଧେଶ୍ୟରେ ଦିଆଯାଇ ଥିବା ଜମିରେ ସ୍ଥିତିବାନ୍ ସତ୍ତ୍ବ ମିଳେ ନାହିଁ। ଏ ସବୁ ସ୍ଥଳରେ କେବଳ ଲିଜ୍ ଦଲିଲ ସମ୍ପାଦନ କରାଯାଏ। ଏହା ପରେ ଲିଜ୍ ନେଇଥିବା ବ୍ୟକ୍ତି ଅବା ପଟ୍ଟାଦାରଙ୍କ ନାମରେ ସ୍ବତନ୍ତ୍ର ଖାତା ପ୍ରସ୍ତୁତ କରାଯାଇ ସତ୍ତ୍ବ ପଟ୍ଟାଦାର ବୋଲି ଉଲ୍ଲେଖ ରହିଥାଏ ଏବଂ ପଟ୍ଟାର ଅବଧି/ଲିଜ୍ ସମୟ କେତେ ତାହା ସେଠାରେ ଦର୍ଶାଯାଇଥାଏ। ହେଲେ ଯଦି ତାହା ସ୍ଥିତିବାନ୍ ତା ହେଲେ ଜମିର ଦୂରୁପଯୋଗ ହେବା ବେଶ୍ ସହଜ। ଆଉ ତାହା ହିଁ ହୋଇଛି। ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କୁ ହାତବାରିସି କରି ଲିଜ୍ ଜମିର କିସମ ସ୍ଥିତିବାନ୍ କରାଇ ନେଉଛନ୍ତି ଲିଜ୍ଧାରୀ। ଏପରି ଜାଲିଆତି ଜଣା ପଡିବା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂ ସବୁ ଜିଲାର ଜିଲାପାଳଙ୍କୁ ପତ୍ର ଲେଖି କହିଛନ୍ତି ତହସିଲଦାରଙ୍କ ଜରିଆରେ ଏପରି ତ୍ରୁଟିପୂର୍ଣ୍ଣ କିସମ ପରିବର୍ତ୍ତନକୁ ଯାଞ୍ଚ କରାଯାଇ ରେକର୍ଡରେ ସେଗୁଡିକ ସଂଶୋଧନ ପାଇଁ ନିର୍ଦେଶ ଦେଇଛନ୍ତି।










