ଛୁରୀ ମାଡ଼ରେ ଘାଇଲା ବଲିଉଡ୍‌ ଷ୍ଟାର ସୈଫ ଅଲୀ ଖାନ

ଭୁବନେଶ୍ୱର,(ମୁଖ୍ୟ)-ବଲିଉଡ୍‌ ଷ୍ଟାର ସୈଫ ଅଲୀ ଖାନଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରା ସ୍ଥିତ ଘରେ ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ କରିଛି ଆକ୍ରମଣ। ତାଙ୍କ ଶରୀରରେ ୬ଟି ସ୍ଥାନରେ ସୃଷ୍ଟି ହୋଇଛି କ୍ଷତ। ସେଥିରୁ ଦୁଇଟି ଗଭୀର ହୋଇଥିବା ବେଳେ ୨ଟି ମଧ୍ୟମ ଓ ଆଉ ୨ଟି ସାମାନ୍ୟ। ତାଙ୍କ ମେରୁଦଣ୍ଡରେ ଛୁରୀର ଏକ ଖଣ୍ଡ ରହି ଯାଇଥିଲା, ଯାହାର ଲମ୍ବ ୨.୫ ଇଞ୍ଚ ଥିଲା। ଅସ୍ତ୍ରୋପଚାର କରି ଡାକ୍ତରମାନେ ସେଇଟିକୁ ବାହାର କରି ଦେଇଛନ୍ତି। ତାଙ୍କ ଶରୀରରେ ଉଭୟ ନ୍ୟୁରୋ ଓ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ସେ ବିପଦମୁକ୍ତ ଅଛନ୍ତି। ତଥାପି ତାଙ୍କୁ ଆଇସିୟୁରେ ରଖାଯାଇଛି। ୨୪ ଘଣ୍ଟା ପାଇଁ ସୈଫଙ୍କୁ ଡାକ୍ତରଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ରଖାଯିବ।

ଗତକାଲି ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏହି ଘଟଣା। ସେତେବେଳେ ସୈଫ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଶୋଇଥିଲେ। ପରିବାରର ଅନ୍ୟ ଲୋକମାନେ ମଧ୍ୟ ଥିଲେ। ହଠାତ୍ ସୈଫ ତାଙ୍କର ଜଣେ ଘରୋଇ ସହାୟିକାଙ୍କ ଚିତ୍କାର ଶୁଣିଥିଲେ। ଘରୋଇ ସହାୟିକା ଜଣଙ୍କ ସୈଫଙ୍କ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ କଠୋରୀରେ ଶୋଇଥିଲେ। ଦୁର୍ବୃତ୍ତ ଜଣଙ୍କ ପ୍ରଥମେ ସେହି କଠୋରୀରେ ପଶିଥିଲେ। ଘରୋଇ ସହାୟିକା ତାଙ୍କୁ ଦେଖିବା ପରେ ଚିତ୍କାର କରିଥିଲେ। ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଆଘାତ ଦେବାକୁ ପ୍ରୟାସ କରିଥିଲେ। ଘରୋଇ ସହାୟିକାଙ୍କ ଚିତ୍କାର ଶୁଣି ସୈଫ ସେଠାକୁ ଦୌଡ଼ି ଯାଇଥିଲେ। ସୈଫ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ। ହେଲେ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଛୁରୀରେ ଏକାଧିକ ଥର ଆଘାତ କରି ସେଠାରୁ ଫେରାର ହୋଇ ଯାଇଥିଲେ। ଆହତ ସୈଫଙ୍କୁ ତୁରନ୍ତ ଲୀଲାବତୀ ହସ୍‌ପିଟାଲକୁ ନିଆଯାଇଥିଲା।

ସୈଫଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ଫେରାର ଅଛି। ତାକୁ ଚିହ୍ନଟ କରାଯାଇସାରିଛି ବୋଲି ମୁମ୍ବାଇ ପୁଲିସ କହିଛି। ତାକୁ ଧରିବା ପାଇଁ ୧୦ଟି ଟିମ୍ ଗଠନ କରାଯାଇଛି। ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ଯେ ଉକ୍ତ ବ୍ୟକ୍ତି ଚୋରି କରିବାକୁ ସୈଫଙ୍କ ଘରେ ପଶିଥିଲା। ସେଥିପାଇଁ ସେ ଉକ୍ତ ଆପାର୍ଟମେଣ୍ଟର ଅଗ୍ନି ନିରାପତ୍ତା ଶିଡ଼ିକୁ ବ୍ୟବହାର କରିଥିଲା। ତେବେ ସୈଫଙ୍କ ଉପରେ ହୋଇଥିବା ଆକ୍ରମଣର ୨ ଘଣ୍ଟା ପୂର୍ବରୁ ଉକ୍ତ ଆପାର୍ଟମେଣ୍ଟର ସିସିଟିଭିରେ କଏଦ ହୋଇନି ଦୁର୍ବୃତ୍ତ। ଅର୍ଥାତ୍ ସେ ତା’ପୂର୍ବରୁ ସେଠାରେ ପ୍ରବେଶ କରି ସାରିଥିଲା ବୋଲି ଅନୁମାନ କରୁଛି ପୁଲିସ। ସୈଫଙ୍କ ୩ ଘରୋଇ ସହାୟକ/ସହାୟିକାଙ୍କୁ ନେଇ ପଚରାଉଚରା କରୁଛି ପୁଲିସ। ସେମାନଙ୍କ ମଧ୍ୟରୁ କାହାର ଦୁର୍ବୃତ୍ତଙ୍କ ସହିତ ସଂପର୍କ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏହା ସହିତ ସୈଫଙ୍କ ହାଉସିଂ ସୋସାଇଟିରେ ଏବେ ମରାମତି କାମ ଚାଲିଥିବାରୁ କିଛି ଶ୍ରମିକଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସେହିପରି ପୁଲିସ ଉକ୍ତ ଆପାର୍ଟମେଣ୍ଟ ଓ ସୈଫଙ୍କ ଘରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।

ଦୁର୍ବୃତ୍ତ ଜଣଙ୍କ ଚୋରି କରିବା ଉଦ୍ଦେଶ୍ୟରେ ସେମାନଙ୍କ ଘରେ ପ୍ରବେଶ କରିଥିବା ନେଇ ଉଭୟ ସୈଫ ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ କରୀନାଙ୍କ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି। କରୀନାଙ୍କ ତରଫରୁ ତାଙ୍କ ଟିମ୍ ଜାରି କରିଥିବା ବୟାନରେ କହିଛି, ସୈଫ ଅଲୀ ଖାନ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନଙ୍କ ଘରେ ଗତକାଲି ରାତିରେ ଚୋରି ଉଦ୍ୟମ ହୋଇଥିଲା। ସୈଫ ଆହତ ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ପରିବାରର ଅନ୍ୟ ସଦସ୍ୟମାନେ ସୁସ୍ଥ ଅଛନ୍ତି। ଏହା ସହିତ ଏହି ଘଟଣାକୁ ନେଇ କୌଣସି ଉଡ଼ା ଖବର ଉପରେ ବିଶ୍ୱାସ ନ କରିବାକୁ ତାଙ୍କ ଟିମ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ସେହିପରି ସୈଫଙ୍କ ଟିମ୍ ଜାରି କରିଥିବା ବୟାନରେ କୁହାଯାଇଛି ଯେ ତାଙ୍କ ଘରେ ଚୋରି ଉଦ୍ୟମ ହୋଇଥିଲା। ତାଙ୍କର ଅସ୍ତ୍ରୋପଚାର ହୋଇଛି ଓ ସେ ବିପଦମୁକ୍ତ ଅଛନ୍ତି। ସେ ସୁସ୍ଥ ହେଉଛନ୍ତି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ପରିବାରର ଅନ୍ୟ ସମସ୍ତ ଲୋକେ ସୁରକ୍ଷିତ ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *