ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ରାୟଗଡ଼ା ଏସ୍‌ପିଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍‌

ଭୁବନେଶ୍ୱର:- ଦୁଇ ଋଷୀୟ ନାଗରିକ  ମୃତ୍ୟୁ ମାମଲାରେ ଏଣ୍ଟ୍ରି ମାରିଛନ୍ତି ଏନ୍‌ଏଚ୍‌ଆରସି(ଜାତୀୟ ମାନବିକ ଅଧିକାର କମିଶନ) । ଏହି ମାମଲାରେ ରାୟଗଡ଼ା ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନ୍‌ଏଚ୍‌ଆରସି । ୪ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଏହି ଘଟଣାରେ ସମାଧାନ ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଏଚ୍‌ଆରସି । ମାନବାଧିକାର କର୍ମୀ ରବୀନ୍ଦ୍ର ମିଶ୍ର ଏହି ମାମଲାକୁ ନେଇ ଆୟୋଗଙ୍କ ନିକଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେଣୁ ଏହି ଆଧାରରେ ଅୟୋଗ ନୋଟିସ୍ କରିଛନ୍ତି । ରିପୋର୍ଟ ଆସିବା ପରେ ଆୟୋଗ ପରବର୍ତ୍ତି ପଦେକ୍ଷପ ନେବେ ବୋଲି ଜଣାପଡ଼ିଛି ।
ଅନ୍ୟପଟରେ କ୍ରାଇମ୍‌ବ୍ରାଞ୍ଚ ଏବଂ ରାୟଗଡ଼ା ପୁଲିସ ସବୁ ଦିଗକୁ ନେଇ ତଦନ୍ତକୁ ଜୋରଦାର କରିଛନ୍ତି । ଫୋରେନ୍‌ସିକ ଓ ସାଇଣ୍ଟିଫିକ୍ ଟିମ୍ ଶ୍ମଶାନରୁ ସଂଗ୍ରହ କରିଥିବା ହାଡ଼ ଏବଂ ପାଉଁଶକୁ ଡିଏନ୍‌ଏ ପରୀକ୍ଷଣ ପାଇଁ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଫୋରେନସିକ୍ ଲ୍ୟାବ୍‌କୁ ପଠାଇ ଦେଇଛନ୍ତି । କେବଳ ପାଉଁଶ, ହାଡ ନୁହେଁ ଦୁଇ ମୃତକ ରହୁଥିବା ହୋଟେଲରୁ ଜବତ ହୋଇଥିବା ଲ୍ୟାପ୍‌ଟପ, ମୋବାଇଲ୍‌, ପାସ୍‌ପୋର୍ଟରୁ ତଥ୍ୟ ସଂଗ୍ରହ ପାଇର୍ ମଧ୍ୟ ଲ୍ୟାବ୍‌କୁ ପଠା ଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ । ମୃତ୍ୟୁ ପୂର୍ବରୁ ପାଭେଲ ଆଣ୍ଟୋଭ କାହା ସହ ମୋବାଇଲ୍‌ରେ କଥା ହୋଥଇଥିଲେ । କେଉଁମାନଙ୍କ ସହ ଚାଟିଂ କରିଥିଲେ । କାହାକୁ ଇ-ମେଲ୍ କରିଥିଲେ । ଋୁଷ ପର୍ଯ୍ୟଟକ ରହିବା ସମୟରେ ହୋଟେଲକୁ କେଉଁମାନେ ଆସିଥିଲେ । ସବୁ କିଛି ତଥ୍ୟ ମିଳିବ । ତେଣୁ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ରିପୋର୍ଟ ତୁରନ୍ତ ଦେବାକୁ ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍‌କୁ ଚିଠି ଲେଖା ଯାଇଛି । ଏହି ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ୫ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଡିଏସ୍‌ପି ସରୋଜ କୁମାର ମହାନ୍ତଙ୍କ ଖୋଳତାଡ଼ କରୁଛନ୍ତି । ଗତକାଲି ହୋଟେଲ ମାଲିକ ଅରବିନ୍ଦ ସାହୁଙ୍କ ପଚରାଉଚରା କରାଯାଇଥିବା ବେଳେ ଆଜି ଚତୁର୍ଥ ଦିନରେ ହୋଟେଲ ମ୍ୟାନେଜର ଓ କର୍ମଚାରୀଙ୍କୁ ଗୁଡାଇ ତୁଡାଇ ପଚାରିଛି ଟିମ୍ । ଦୁଇ ଋଷୀୟ ରହୁଥିବା ହୋଟେଲ ରୁମ୍ ନମ୍ବର ୨୦୨ରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ ସହ କିଛି ମଦ ବୋତଲ ବି ସଂଗ୍ରହ କରାଯାଇଥିଲା । ତେଣୁ ଏହି ମଦ ବୋତଲ ଏବଂ ଫିଙ୍ଗର ପ୍ରିଣ୍ଟ ମଧ୍ୟ ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍‌କଚ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *