ବଲାଙ୍ଗିର:-ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋର। ନେଇଯାଇଛନ୍ତି ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ସହ ଗଡ୍ରେଜ୍ରେ ରହିଥିବା ନଗଦ ଟଙ୍କା। ହେଲେ ଛାଡ଼ି ଯାଇଛନ୍ତି ନିଶୁଣୀ। ବଲାଙ୍ଗିର ସହର ଅନ୍ତର୍ଗତ ସତ୍ୟନାରାୟଣପଡାରେ ଘଟିଛି ଘଟଣା। ବ୍ୟାଙ୍କ କର୍ମଚାରୀ ବିଜନ କୁମାର ବାରିକଙ୍କ ଘରୁ ନୂଆ ଷ୍ଟାଇଲ୍ରେ ସବୁ ଜିନିଷ ଚୋରି କରି ନେଇଛନ୍ତି ଚୋର।
ସୂଚନା ମୁତାବକ, ବଲାଙ୍ଗିର ଷ୍ଟେଟବ୍ୟାଙ୍କର କର୍ମଚାରୀ ବିଜନ ବାରିକ ଅଫିସ୍ ଛୁଟି ଥିବାରୁ ଗତ ୨୪ ତାରିଖରୁ ନିଜ ଶଶ୍ୱର ଘରକୁ ବୁଲିବା ପାଇଁ ଯାଇଥିଲେ। ଆଜି ସନ୍ଧ୍ୟାରେ ଘରକୁ ଫେରି ଦେଖିନ୍ତି ଘରେ ଥିବା ସବୁ ଜିନିଷ ଚୋରି ହୋଇଯାଇଛି। ଚୋରମାନେ ଏକ ବାଉଁଶ ନିଶୁଣୀ ଦ୍ୱାରା ଘରର ପଛପଟୁ ଛାତକୁ ଚଢିଛନ୍ତି। ତାପରେ କବାଟ ଭାଙ୍ଗି ଘର ଭିତରକୁ ପଶିଛନ୍ତି। ଘର ଭିତରେ ଥିବା ଗଡ୍ରେଜ ଗୁଡିକ ଭାଙ୍ଗି ଟଙ୍କା, ସୁନା ସମେତ ଏଲଇଡି ଟିଭି, କଂପ୍ୟୁଟର ଚୋରି କରି ନେଇଯାଇଛି। ଏହା ସହିତ ଘର ଭିତରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଧରାପଡ଼ିବା ଭୟରେ ଚୋରମାନେ ଘରେ ଲାଗିଥିବା ସିସିଟିଭି କ୍ୟାମେରା ଓ ହାର୍ଡଡିକ୍ସ ମଧ୍ୟ ଚୋରୀ କରି ନେଇଛନ୍ତି। ଏନେଇ ବିଜୟ ପୁଲିସରେ ଅଭିଯୋଗ କରିବା ପରେ ଟାଉନ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଚୋରୀରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଚୋରମାନେ ଆଣିଥିବା ସିଡି ଘର ଭିତରେ ଛାଡ଼ି ଯାଇଛନ୍ତି