ପୁଣି ଚଢିଗଲା ‘ମୋ ବସ୍’ । ଅଳ୍ପକେ ବର୍ତ୍ତିଲା ଛାତ୍ରୀଙ୍କ ଜୀବନ

ଭୁବନେଶ୍ୱର:-ରାଜଧାନୀବାସୀଙ୍କ ପାଇଁ ଧିରେ ଧିରେ ସମସ୍ୟା ପାଲଟୁଛି ମୋ ବସ । ପ୍ରତ୍ୟେକ ଦିନ ମୋ ବସର ଛୋଟ ବଡ ଦୁର୍ଘଟଣା ନଜରକୁ ଆସିବା ପରେ ଏହି ବସ ଚଳାଚଳକୁ ନେଇ ପ୍ରଶ୍ନ ଉଠିଛି । ଆଉ ଶନିବାର ପୁଣି ଏଭଳି ଏକ ଘଟଣା ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛି ଜଣେ ଛାତ୍ରୀଙ୍କ ଜୀବନ । ଜାଗମରା ଅଞ୍ଚଳର ଅଭିଜିତା ବଡଜେନା ଦିନ ୧୧ଟାବେଳେ ସାଇକେଲରେ ସ୍କୁଲ ଯାଉଥିଲେ । ଏହି ସମୟରେ ମୋ ବସ ଦ୍ରୁତ ଗଡିରେ ଆସି ଅଭିଜିତାଙ୍କ ସାଇକେଲକୁ ପଛପଟୁ ପିଟିଥିଲା । ଅଭିଜିତା ମୋ ବସର ଆଗ ଚକ ତଳେ ପଡିଯାଇଥିଲେ । କିନ୍ତୁ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଛି । ତାଙ୍କ ଗୋଡରେ ଶକ୍ତ ଆଘାତ ଲାଗିଛି । ଘଟଣା ସ୍ଥଳରେ ଉତ୍ତେଜନା ପରେ ପୁଲିସ ପହଞ୍ଚି ବୁଝାସୁଝା କରିଛି ।

ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ମୋ ବସ ଦୁର୍ଘଟଣା ହେବ କିଛି ନୂଆ କଥା ନୁହେଁ । ନଭେମ୍ବର ମାସରେ ଭୁବନେଶ୍ୱର ୟୁନିଟ-୮ ଅଞ୍ଚଳରେ ମୋ ବସ ଚଢାଇଦେବାରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଜୀବନ ଯାଇଥିଲା । ଅଗଷ୍ଟ ମାସରେ ବି ମୋ ବସ୍ ଚାଳକଙ୍କ ବେପରୁୱା ଗାଡି ଚାଳନା ପାଇଁ ହନ୍ତସନ୍ତ ହୋଇଥିଲେ ଯାତ୍ରୀ । ଭୁଲ୍ ରାସ୍ତା ଦେଇ ବସ୍ ନେଇଯିବାରୁ ଜଟଣୀରେ ବର୍ଷା ପାଣିରେ ବୁଡି ଯାଇଥିଲା ବସ୍ । କୁହାଯାଉଛି, ବେପରୁଆ ଭାବରେ ଦ୍ରୁତ ଗତିରେ ଗାଡିଚାଳନା ଯୋଗୁଁ ବଢୁଛି ଦୁର୍ଘଟଣା । ଆଉ କର୍ତୃପକ୍ଷ ସବୁ ଜାଣି ନଜାଣିଲା ଭଳି ରହୁଛନ୍ତି ।

ରାଜଧାନୀରେ ମୋ ବସ ବିରୁଦ୍ଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । କୁହାଯାଉଛି, ବେପରୁଆ ଭାବରେ ଦ୍ରୁତ ଗତିରେ ଗାଡିଚାଳନା ଯୋଗୁଁ ବଢୁଛି ଦୁର୍ଘଟଣା । ସ୍ପିଡ ଲିମିଟକୁ ବି ମାନୁନାହାନ୍ତି ଡ୍ରାଇଭର । ଆଉ ଅଭିଯୋଗର ଫର୍ଦ୍ଦ ଲମ୍ବୁଥିଲେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଭୁବନେଶ୍ୱରରେ ମୋ ବସ ୨୦ରୁ ୩୦ ସ୍ପିଡରେ ଗାଡି ଚଳାଇବାର ବ୍ୟବସ୍ଥା ରହିଛି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଡ୍ରାଇଭରମାନେ ଏହାକୁ ମାନୁନାହାନ୍ତି । ସୂଚନା ଅନୁସାରେ, ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ସହର ଭିତରେ ମୋ ବସ ୬ଜଣଙ୍କୁ ମାରିସାରିଛି ଓ ଅନେକ ଆହତ ମଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *